ରାଜଧାନୀ ଦିଲ୍ଲୀରେ ବୋମା ଆତଙ୍କ । ଅନେକ ସ୍କୁଲକୁ ଆସିଲା ଧମକ, ବୋମାମାଡ଼ କରି ଉଡାଇ ଦେବାକୁ ଇ-ମେଲ ଓ ଫୋନ୍

61

କନକ ବ୍ୟୁରୋ : ଆଜି ସକାଳୁ ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲ ବାହାରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଆତଙ୍କିତ ଅବସ୍ଥାରେ ଭିଡ ଜମାଇଥିଲେ ଅଭିଭାବକ । ନିଜ ପିଲାଙ୍କୁ ନେବା ପାଇଁ ଜମାଇଥିଲେ ଭିଡ । କାରଣ ରାଜଧାନୀର ୮୦ରୁ ଅଧିକ ସ୍କୁଲକୁ ମିଳିଥିଲା ଧମକ । ବୋମାମାଡ଼ କରି ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ ମିଳିଥିଲା । ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ପ୍ରାୟ ୧୦୦ଟି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା । ଏହାପରେ ରାଜଧାନୀରେ ଦେଖିବାକୁ ମିଳିଥିଲା ଆତଙ୍କିତ ମାହୋଲ । ସ୍କୁଲ ବାହାରେ ଭିଡ ଜମାଇଥିଲେ ଅଭିଭାବକ । ତୁରନ୍ତ ସ୍ତୁଲ ଗୁଡିକୁ ଖାଲି କରିଦିଆଯାଇଥିଲା । ପିଲାମାନଙ୍କୁ ଘରକୁ ପଠାଇଦିଆ ଯାଇଥିଲା । ଏପରିକି ପରୀକ୍ଷାକୁ ବି ଅଧାରୁ ବାତିଲ କରି ଦିଆଯାଇଥିଲା ।

ସେପଟେ ଏ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଥିଲା । ଡଗ୍ ସ୍କ୍ୱାର୍ଡ ମଧ୍ୟ ସ୍କୁଲରେ ପହଂଚି ଯାଂଚ କରିଥିଲା । ତେବେ ଛାନଭିନ୍ ପରେ କୌଣସି କିଛି ବୋମା ମିଳିନଥିଲା । ସେପଟେ ଦିଲ୍ଲୀ ଉପ-ରାଜ୍ୟପାଳ ବିନୟ ସକ୍ସେନା, ଏହି ଧମକପୂର୍ଣ୍ଣ ଇମେଲ ଓ ଫୋନ୍ କଲକୁ ନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ମନ୍ତ୍ରାଳୟ ମଧ୍ୟ ଏ ଘଟଣା ଉପରେ ନଜର ରଖିବା ସହ ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଏହି ଇ-ମେଲ ଦେଶ ବାହାରୁ ଆସିଥିଲା । ଇ-ମେଲ୍ ଆସିଥିବା ସିଷ୍ଟମର ଆଇପି ଆଡ୍ରେସ୍ ରୁଷିଆର ବୋଲି ଜଣାପଡିଛି । ସାଇବର ଟିମ୍ ଓ ପୋଲିସର ସ୍ପେଶାଲ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି ।