ଶ୍ରୀଲଙ୍କା ବିରୋଧରେ ଭାରତର ବଡ ବିଜୟ । ୩୦୨ ରନରେ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ମାତ୍ର ୫୫ ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା
ଟିମ୍ ଇଣ୍ଡିଆକୁ ମିଳିଲା ସେମିଫାଇନାଲ ଟିକେଟ୍
କନକ ବ୍ୟୁରୋ: ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ । ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିବା ସହିତ ବିଶ୍ୱକପର ଆଗାମୀ ସେମିଫାଇନାଲ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି ରୋହିତ ବାହିନୀ । ତେବେ ବିଶ୍ୱକପରେ ଆଜି ଏକ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ୩୦୨ ରନର ଏକ ବଡ ବ୍ୟବଧାନରେ ପରାସ୍ତ କରିଛି ଭାରତ ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ କୁସାଲ ମେଣ୍ଡିସ୍ । ଆଉ ଆରମ୍ଭରୁ ଶ୍ରୀଲଙ୍କାକୁ ସଫଳତା ମଧ୍ୟ ମିଳିଥିଲା । ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ପ୍ରଥମ ଓଭରର ଦ୍ୱିତୀୟ ବଲରେ ହିଁ ଆଉଟ୍ ହେଇ ପ୍ୟାଭିଲିୟନ୍ ଫେରିଥିଲେ । ହେଲେ ଏହାପରେ କିନ୍ତୁ ଭାରତ ମ୍ୟାଚକୁ ନିଜ କବଜାକୁ ନେଇ ଯାଇଥିଲା । ବିରାଟ କୋହଲି ଏବଂ ଶୁଭମନ୍ ଗିଲ୍ ଦୁହେଁ ଜବରଦସ୍ତ ବ୍ୟାଟିଂ କରିବା ସହିତ ଦଳର ସ୍କୋରକୁ ଆଗକୁ ବଢାଇଥିଲେ ।
ଟିମ୍ ଇଣ୍ଡିଆର ୩ ଜଣ ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିଥିଲେ ବି ଶତକ ମାରିପାରିନଥିଲେ । ଶୁଭମନ୍ ଗିଲ୍ ୯୨ ରନ୍, କୋହଲି ୮୮ ରନ୍ ଏବଂ ଶ୍ରେୟାସ ଆୟର ୮୨ ରନ୍ କରି ଆଉଟ୍ ହେଇଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ମଧ୍ୟ ଉପଯୋଗୀ ୩୫ ରନ୍ କରିଥିଲ । ତେବେ ମ୍ୟାଚରେ ସବୁଠୁ ଅଧିକ ରୋମାଞ୍ଚ ଆଣିଥିଲେ ଟିମ୍ ଇଣ୍ଡିଆର ବୋଲର । ଆରମ୍ଭରୁ ହିଁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡିଥିଲା ମେନ୍ ଇନ୍ ବ୍ଲୁ । ଯାହାର ଫଳସ୍ୱରୂପ ମାତ୍ର ୨୦ ଓଭରରେ ୫୫ ରନ୍ କରି ଅଲଆଉଟ୍ ହେଇଯାଇଥିଲା ଶ୍ରୀଲଙ୍କା ।
ଟିମ୍ ଇଣ୍ଡିଆ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୫ଟି, ମହମ୍ମଦ ସିରାଜ ୩ଟି ଏବଂ ବୁମରା ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ବିଧିବଦ୍ଧ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ।