ଡ୍ରଗ୍ସ ତସ୍କରୀ ମାମଲାରେ ଗିରଫ ହେଲେ ସାଉଥ ଫିଲ୍ମ ନିର୍ମାତା: କଳା ଟଙ୍କାରେ କରୁଥିଲେ ଫିଲ୍ମ ନିର୍ମାଣ

171

କନକ ବ୍ୟୁରୋ: ଡ୍ରଗ୍ସ ତସ୍କରୀ ମାମଲାରେ ଗିରଫ ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ଫିଲ୍ମ ନିର୍ମାତା । ଜାଫର ସାଦିକଙ୍କୁ ଗିରଫ କରିଛି ଏନସିବି । କିଛିଦିନ ହେବ ଜାଫରଙ୍କୁ ଏନସିବି ଖୋଜୁଥିଲା । ଏନସିବି ଅନୁଯାୟୀ ଜାଫର ୨ ହଜାର କୋଟି ଟଙ୍କାର ଡ୍ରଗ୍ସ ବିଦେଶ ପଠାଇ ସାରିଛି । ଅଭିଯୁକ୍ତ ଫିଲ୍ମ ନିର୍ମାତା ଡିଏମକେ ପାର୍ଟିର ଡେପ୍ୟୁଟି ସେକ୍ରେଟେରୀ ବି ରହିସାରିଛନ୍ତି । ଏହି ମାମଲାରେ ଏନସିବି ପ୍ରଥମେ ଦିଲ୍ଲୀରୁ ୩ଜଣଙ୍କୁ ଗିରଫ କରି ଜାଫରଙ୍କ ଖୋଜା ଜାରିରଖିଥିଲା । ଅଭିଯୋଗ ଅନୁସାରେ ଫିଲ୍ମ ନିର୍ମାତା ୪୫ ଥର ବିଦେଶକୁ ଡ୍ରଗ୍ସ ପଠାଇସାରିଛନ୍ତି ।

ରିପୋର୍ଟ ଅନୁସାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମାଧ୍ୟମରେ ଜାଫର ସାଦିକଙ୍କୁ ଗିରଫ କରାଯାଇଛି । ପଚରାଉଚରାରୁ ଜଣା ପଡିଛି ଯେ ଏହାର ଲିଙ୍କ ଭାରତ-ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଡ୍ରଗ କଣ୍ଟ୍ରୋଲ ସହ ଜଡିତ । ଡ୍ରଗ୍ସ କାରବାରରେ ଆସୁଥିବା କଳା ଟଙ୍କାକୁ ସାଦିକ ଫିଲ୍ମ ନିର୍ମାଣ, ରିୟଲ ଇଷ୍ଟେଟ୍, ହୋଟେଲ ଓ ଅନ୍ୟ କାରବାରରେ ଲଗାଉଥିଲା । ଗତ ମାସରେ ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ ହୋଇଥିଲେ । ଏହାପରେ ଜାଫରଙ୍କ ନାଁ ସାମ୍ନାକୁ ଆସିଥିଲା ।

ଗିରଫ ହେବା ପରେ ଜାଫର ପାଖରୁ ୫୦ କିଲୋର ଡ୍ରଗ୍ସ ଜବତ ହୋଇଥିଲା । ଡ୍ରାଏ ଫୁଟ ବିଜ୍ଞାପନ ଜରିଆରେ ଡ୍ରଗ୍ସକୁ ବିଦେଶକୁ ପଠାଉଥିଲା ଜାଫର । ଏହି ଡ୍ରଗ୍ସ ସପ୍ଲାଇ କରିବାରେ ପ୍ରତି କିଲୋରେ ସେ ୧ ଲକ୍ଷ ଟଙ୍କା ନେଉଥିଲା । ମଙ୍ଗାଇ ନାମକ ଏକ ତାମିଲ ଫିଲ୍ମକୁ ଏହି ଟଙ୍କାରେ ନିର୍ମାଣ କରିଥିଲା ଜାଫର ଆଉ ଚେନ୍ନାଇରେ ତାର ଏକ ହୋଟେଲ ମଧ୍ୟ ରହିଥିଲା ।