ଟେଷ୍ଟ ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା କରିବ ବିସିସିଆଇ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଅତିରିକ୍ତ ଟଙ୍କା?

1,756

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ୪-୧ରେ ଟେଷ୍ଟ ସିରିଜ ଜିତିବା ପରେ ଭାରତୀୟ ଖେଳାଳୀଙ୍କ ପାଇଁ ବଡ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ମ୍ୟାଚ୍ ଖେଳୁଥିବା କ୍ରିକେଟରଙ୍କ ପାଇଁ ଟେଷ୍ଟ କ୍ରିକେଟ ଇନସେନଟିଭ ସ୍କିମ ଆରମ୍ଭ କରିଛି ବିସିସିଆଇ । ଯେଉଁ ଯୋଜନା ଅନୁଯାୟୀ ଟେଷ୍ଟ କ୍ରିକେଟ ଖେଳୁଥିବା କ୍ରିକେଟରଙ୍କ ଉପରେ ଏବେ ଟଙ୍କା ବର୍ଷା କରିବ ବିସିସିଆଇ । ଟେଷ୍ଟ କ୍ରିକେଟ ଖେଳୁଥିବା ଭାରତୀୟ କ୍ରିକେଟରଙ୍କୁ ମ୍ୟାଚ୍ ପିଛା ପାରିଶ୍ରମିକ ସହ ଅତିରିକ୍ତ ଟଙ୍କା ମଧ୍ୟ ମିଳିବ । ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ । ଏବେ ଟେଷ୍ଟ ମ୍ୟାଚ୍ ପିଛା ଖେଳାଳୀଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ମିଳୁଛି ।

ନୂଆ ଘୋଷଣା ଅନୁଯାୟୀ, ଯେଉଁ ଖେଳାଳୀଙ୍କୁ ଇନସେନଟିଭ ମିଳିବ ସେମାନଙ୍କ ପାଇଁ ମଧ୍ୟ କିଛି ସର୍ତ୍ତ ରହିଛି । ଯଦି ବର୍ଷକୁ ୯ଟି ଟେଷ୍ଟ ମ୍ୟାଚ୍ ଖେଳାଯାଉଥାଏ ତେବେ କୌଣସି ଭାରତୀୟ ଖେଳାଳୀ ଗୋଟିଏ ସିଜିନରେ ୭୫ ପ୍ରତିଶତରୁ ଅଧିକ ମ୍ୟାଚ୍ ଅଥାର୍ତ ୭ଟି ମ୍ୟାଚରୁ ଅଧିକ ଖେଳିଥିବ ସେମାନଙ୍କୁ ଇନସେନଟିଭ ବାବଦକୁ ୪୫ ଲକ୍ଷ ଟଙ୍କା ପ୍ରତି ମ୍ୟାଚ୍ ପିଛା ମିଳିବ । ସେହିଭଳି ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିବା ଖେଳାଳୀଙ୍କୁ ୨୨.୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ୫୦% ଅଧିକ ମ୍ୟାଚ୍ ତଥା ୫ କିମ୍ବା ୬ଟି ମ୍ୟାଚ୍ ଖେଳିଥିବେ ସେମାନଙ୍କୁ ପାରିଶ୍ରମିକ ବାଦ୍ ଇନସେନଟିଭ ବାବଦକୁ ମ୍ୟାଚ୍ ପିଛା ଅତିରିକ୍ତ ୩୦ ଲକ୍ଷ ଟଙ୍କା ମିଳିବ । ଚୁଡାନ୍ତ ଏକାଦଶରୁ ବାଦ୍ ପଡିଥିଲେ ଅତିରିକ୍ତ ୧୫ ଲକ୍ଷ ଟଙ୍କା ମିଳିବ । କିନ୍ତୁ କୌଣସି ଖେଳାଳୀ ଯଦି ଗୋଟିଏ ସିଜିନରେ ୫୦%ରୁ କମ ମ୍ୟାଚ୍ ଅଥାର୍ତ ୪ଟି ମ୍ୟାଚରୁ ମଧ୍ୟ କମ ଖେଳିଥିବ ତେବେ ସେମାନଙ୍କୁ କୌଣସି ଇନସେନଟିଭ ମିଳିବ ନାହିଁ । ଜୟ ଶାହ କହିଛନ୍ତି, ଏହା ଖେଳାଳୀଙ୍କୁ ଆର୍ଥିକ ରୂପେ ସ୍ୱଚ୍ଛଳ କରିବା ସହ ସ୍ଥିରତା ପ୍ରଦାନ କରିବ । ୨୦୨୨-୨୩ ସିଜିନରେ ଏହାକୁ ଲାଗୁ କରାଯିବ ବୋଲି କହିଛନ୍ତି ଜୟ ଶାହ ।