ସେବାୟତଙ୍କ ବିବାଦରେ ବଳି ପଡ଼ିଲା ବର୍ଷ ବର୍ଷର ପରମ୍ପରା: ଏଥର ବନ୍ଦ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ

177

କନକ ବ୍ୟୁରୋ: ଅଟକିଲା ବର୍ଷ ବର୍ଷର ପରମ୍ପରା । ଏଥର ହେବନି ଶୀତଳ ଷଷ୍ଠୀ ଯାତ୍ରା । ବ୍ରାହ୍ମଣ ନିଯୋଗ ପ୍ରଭୁ ଲିଙ୍ଗରାଜଙ୍କ ସବୁ ରୀତିକାନ୍ତିକୁ ବନ୍ଦ କରି ଦେବାରୁ ଚଳିତ ଥର ହେବନି ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ । ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀଙ୍କ ବିବାହରେ ପ୍ରଭୁ କପିଳେଶ୍ୱର ମଧ୍ୟସ୍ଥି ଭାବେ ସ୍ଥାପିତ ହୋଇଥାନ୍ତି । ବିଗତ କିଛି ବର୍ଷ ହେବ ପ୍ରଭୁ କପିଳେଶ୍ୱରଙ୍କୁ ଅପବିତ୍ର ତଥା ମାରା ହୋଇଯାଇଥିବା କଥା କହିଛନ୍ତି ଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ । କାରଣ କପିଳେଶ୍ୱରଙ୍କ ପୂଜା କରିବାର ଅଧିକାର ଥିଲା କେବଳ ଖୁଂଟିଆ ସେବାୟତଙ୍କର । କିନ୍ତୁ ମାଲିୟା ସେବାୟତ ନିଜର ଆଧିପତ୍ୟ ଦେଖାଇ ତାଙ୍କ ଠାରୁ ଏହି ଅଧିକାର ନେଇଯାଇଥିଲେ ବୋଲି ଅଭିଯୋଗ ରହିଛି ।

ସେବେଠାରୁ କପିଳେଶ୍ୱର ମାରା ହୋଇଯାଇଥିବା ଦାବି କରିଛନ୍ତି ଲିଙ୍ଗରାଜ ବ୍ରାହ୍ମଣ ନିଯୋଗ । ଏହି ବିବାଦ ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯାହାର ଯେଉଁ କାମ ସିଏ ସେହି କାମ କରନ୍ତୁ । କିନ୍ତୁ ଆଜି ଯାଏ ଏହାର ପାଳନ ହୋଇନଥିବାରୁ ଏହାକୁ ବିରୋଧ କରିଛନ୍ତି ଲିଙ୍ଗରାଜ ବ୍ରାହ୍ମଣ । ଜିଲ୍ଲା ପ୍ରଶାସନ କପିଳେଶ୍ୱରଙ୍କୁ ଚଳିତ ବର୍ଷ ପୁଣିଥରେ ଯୋଡିବା ପାଇଁ କହିଥିଲା । କିନ୍ତୁ ବ୍ରାହ୍ମଣ ନିଯୋଗ ଏହାକୁ ବିରୋଧ କରିଛି । ତେବେ ଏଥିପାଇଁ ପୁରା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛି ବ୍ରାହ୍ମଣ ନିଯୋଗ । ଆଜି ଲିଙ୍ଗରାଜ ମନ୍ଦିର ଶୀତଳ ଷଷ୍ଠୀ ନେଇ ବ୍ରାହ୍ମଣ ନିଯୋଗର ବୈଠକ ବସିଥିଲା । ଏହି ବୈଠକରେ ବ୍ରାହ୍ମଣ ନିଯୋଗ ଜିଲ୍ଲା ପ୍ରଶାସନକୁ ଦାୟୀ କରିଥିଲା ।