ନବୀନ ସରକାରରେ ପ୍ରଥମ: ଏକାଥରେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

107

କନକ ବ୍ୟୁରୋ: ଗତ ଏପ୍ରିଲରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଯେମିତି ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ରାଜ୍ୟ ରାଜନୀତିକୁ ଚମକାଇ ଦେଇଥିଲେ । ଏବେ ସମାନ ଢଙ୍ଗରେ ଗୋଟି ଚଳାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋଟିଏ ରାଜ୍ୟର ତିନିଟି ରାଜଧାନୀ ଘୋଷଣାଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିଲା ଜଗନ ସରକାର । ବିରୋଧୀ କାଉଂଟର କରିବା ପରେ ଜଗନ ସଙ୍ଗେସଙ୍ଗେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରି ବିବାଦ ଚ୍ୟାପ୍ଟରକୁ ବନ୍ଦ କରିଦେଇଥିଲେ । ଆଉ ନୂଆ ମନ୍ତ୍ରିମଣ୍ଡଳ ଗଠନ କରି ୧୩ ନୂଆ ଚେହେରାଙ୍କୁ ସାମିଲ କରିଥିବା ବେଳେ ୧୧ ଜଣ ପୁରୁଣା ମନ୍ତ୍ରୀଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ସାମିଲ କରଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳି ସରକାରରେ ଅଢେଇ ବର୍ଷ ପୂରଣ କରିବା ପରେ କୁହାଯାଉଥିଲେ ବଦଳିବ ମନ୍ତ୍ରିମଣ୍ଡଳ ରୂପରେଖ । ହେଲେ ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀମାନେ ବିବାଦୀୟ ହୋଇପଡିବା ପରେ ପରେ ପଂଚାୟତ, ପୌର ନିର୍ବାଚନ ଓ ବ୍ରଜରାଜନଗର ଉପନିର୍ବାଚନ ଶାସକ ଦଳ ପାଇଁ ବଡ ପରୀକ୍ଷା ଥିଲା । ଏବେ ସବୁଥିରେ ଶାସକ ଦଳ ବିଜୟ ବାନା ଉଡାଇଛି । ମନ୍ତ୍ରିମଣ୍ଡଳ ପରିବର୍ତନ ପାଇଁ ଏହାକୁ ପ୍ରକୃଷ୍ଟ ସମୟ ବୋଲି ସ୍ଥିର କରିଛନ୍ତି ନବୀନ । ନଜର ପକାନ୍ତୁ ମନ୍ତ୍ରିମଣ୍ଡଳର ନବକଳେବରର କାରଣ ଉପରେ –

ପୌର, ପଂଚାୟତ ଓ ଉପନିର୍ବାଚନରେ ମନ୍ତ୍ରୀଙ୍କ ଭୂମିକା
ବାର୍ଷିକ ରିପୋର୍ଟରେ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା
ମନ୍ତ୍ରୀଙ୍କ ପାଇଁ ଦଳ ସାମ୍ନାରେ ସୃଷ୍ଟି ହୋଇଥିବା ସମସ୍ୟା
୨୦୨୪ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ବିଜେଡି ଶିବିର ଆରମ୍ଭ କରିଛି ୨୦୨୪ ପାଇଁ ପ୍ରସ୍ତୁତି । ଆଉ ଏହାରି ଭିତରେ ମନ୍ତ୍ରୀଙ୍କ କାର୍ଯ୍ୟକଳାପର ବିଭିନ୍ନ ଦିଗକୁ ଦେଖି ମୁଖ୍ୟମନ୍ତ୍ରୀ ଏବେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିଥିବା କୁହଯାଉଛି । ଆଉ ନବାଗତଙ୍କୁ ନିଜ ଟିମରେ ସାମିଲ କରି ୨୦୨୪ ପାଇଁ ଯୁବବର୍ଗଙ୍କ ଭୋଟ୍ ହାତେଇବାକୁ ପ୍ରସ୍ତୁତି କରୁଥିବା କୁହାଯାଉଛି ।