ଯାହା କହୁଥିଲା ତାହା କରି ଦେଖାଇଛି କୁନିପୁଅ ଶୁବୋଜିତ: ସମସ୍ତଙ୍କ ଆଖିରେ ଲୁହ ଭରିଦେବ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓ

509

କନକ ବ୍ୟୁରୋ: ଖେଳିବା ବୟସରେ ସିନା ଜୀବନ ଚାଲିଗଲା, କିନ୍ତୁ ଅମର ହୋଇ ରହିଗଲେ ୮ ବର୍ଷର ଶୁବୋଜିତ ସାହୁ । ଇଚ୍ଛା ଥିଲା ଡାକ୍ତର ହେବାକୁ , କିନ୍ତୁ ଇଚ୍ଛା ଇଚ୍ଛାରେ ହିଁ ରହିଲା । ୨ୟ ଶ୍ରେଣୀର ଛାତ୍ର ଶୁବୋଜିତ ସ୍କୁଲ ଯାଇଥିବାବେଳେ ଅଚାନକ ପଡି ଅସୁସ୍ଥ ହୋଇଥିଲେ । ପରେ ତାଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କର ଅଙ୍ଗଦାନ କରିଛନ୍ତି ପରିବାର ଲୋକେ । ମୃତ୍ୟୁ ପୂର୍ବର ତାଙ୍କର ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି ।

ମୃତ୍ୟୁ, ହୁଏତ ସମ୍ପର୍କ ଚିହ୍ନେନି । ଆତ୍ମୀୟ କିଏ, ଆପଣାର କିଏ ଜାଣେନି । ଯଦି ଜାଣିଥାନ୍ତା, ହୁଏତ ଏତେ ନିଷ୍ଠୁର ହୋଇନଥାନ୍ତା । ମା’ଟିଏ ଶ୍ମଶାନ ଆସିଛି, ଜନ୍ମ କଲା ପୁଅକୁ ମେଲାଣି ଦେବା ପାଇଁ । ଦୃଶ୍ୟ ଦେଖିଲେ ଛାତି ଫାଟି ଯାଉଛି । ପୁଅକୁ କାହିଁ ନେଇ ଯାଉଛ କହି, ଅତି ଦୟନୀୟ ଭାବେ ଛାଟି ପିଟି ହେଉଛି ମା’ । ହେଲେ ଶ୍ମଶାନ କାହୁଁ ବୁୁଝିବ ସମ୍ପର୍କର ମୂଲ ।

ଭୁବନେଶ୍ୱର ସତ୍ୟନଗର ଶ୍ମଶାନରୁ ଆସୁଥିବା ଏହି ଚିତ୍ର ପଛରେ ରହିଛି ଏକ ହୃଦୟ ବିଦାରକ କାହାଣୀ । ଯେଉଁ କାହାଣୀର ନାୟକ ହେଉଛନ୍ତି ମାତ୍ର ୮ ବର୍ଷର ଶୁବୋଜିତ ସାହୁ । ଆଜି ଶୁବୋଜିତଙ୍କୁ ଖୋଜୁଥିଲା ସ୍କୁଲ । ସହପାଠୀ ଖୋଜୁଥିଲେ, ଶିକ୍ଷକ ଖୋଜୁଥିଲେ । ହେଲେ କେଉଁ ଅଫେରା ରାଇଜକୁ ବାଛି ନେଇଛି କୁନି ପୁଅ । ହେଲେ ଦୁନିଆରୁ ବିଦାୟ ନେଉ ନେଉ ଯେଉଁ ସମର୍ପଣଟି କରିଯାଇଛି ଶୁବୋଜିତ, ସାରା ଓଡିଶା ତାକୁ ଭୁଲିପାରିବନି ।

ଇଚ୍ଛା ଥିଲା ଡାକ୍ତର ହେବ । ବଡ଼ ହୋଇ ରୋଗୀ ସେବା କରିବ । ହେଲେ ତାହା ହୋଇପାରିଲା ନାହିଁ, ବିଧି ବିଧାନ ଥିଲା ଆଉ କିଛି । ଜୀବନ ଆରମ୍ଭ କରିବା ଆଗରୁ ଅବେଳରେ ଝାଉଁଳି ଗଲା କଅଁଳା ଶିଶୁ । ସେ ସିନା ଗଲା, ତା’ କଥା ରଖିଲା । ଡାକ୍ତର ବେଶରେ ଅଭିନୟ ମାଧ୍ୟମରେ ଯେଉଁ ଜୀବନ ବଂଚାଇବା କଥା କହୁଥିଲା, ନିଜ ଜୀବନରୁ ବିଦାୟ ନେଲା ବେଳେ ତାହା କରିଯାଇଛି । ଅଙ୍ଗଦାନ ଯେଉଁ ଆଉ କାହାକୁ ମିଳିଛି ଜୀବନ ।

ସେହି ବାପା’ଙ୍କୁ ସଲାମ୍, ସେହି ମା’ ନମସ୍ୟ । ଯିଏ ମାନବିକତା ମୃତ୍ୟୁ ହେବାକୁ ଦେଇ ନାହାଁନ୍ତି । ପୁଅ ସିନା ଚାଲିଗଲା, ତା ଅଙ୍ଗରେ ଆଉ କିଏ ଜୀବନ ବଂଚୁ । ଏହି ଲକ୍ଷ୍ୟରେ ପରିବାର ଲୋକ ଅଙ୍ଗଦାନ କରିଦେଇଥିଲେ ।

ଆଉ ସୁବୋଜିତଙ୍କ ପାଇଁ ୨ ଜଣଙ୍କୁ ମିଳିଛି ନୂଆ ଜୀବନ । ସୁବୋଜିତଙ୍କ ୨ଟି କିଡନୀ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ୍ । ଭୁବନେଶ୍ୱର କଳ୍ପନା ଅଂଚଳର ବିଶ୍ୱଜିତ ସାହୁଙ୍କ ପୁଅ ଶୁବୋଜିତ ସାହୁଙ୍କ ରାଷ୍ଟ୍ରୀୟ ମର୍ଯାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛ । ୨ୟ ଶ୍ରେଣୀରେ ପଢ଼ୁଥିବା ଶୁବୋଜିତ ସ୍କୁଲ ଯାଇଥିବା ସମୟରେ ଅଚନାକ୍ ପଡ଼ି ଯାଇ ଅସୁସ୍ଥ ହୋଇଥିଯାଇଥିଲେ । ପରବର୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।