ଭୋଟ୍ ପାଇଁ ନୋଟ୍ ମାମଲାରେ ଜନପ୍ରତିନିଧିଙ୍କୁ ଝଟକା: ଟଙ୍କା ନେଇ ଭୋଟ୍ ଓ ଭାଷଣ ଦେଲେ ଚାଲିବ ମାମଲା

89

କନକ ବ୍ୟୁରୋ: ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ କିମ୍ବା ଭାଷଣ ଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ । ଅର୍ଥାତ୍ ଏଣିକି ସେମାନଙ୍କୁ ଏହି ମାମଲାରେ ଆଇନଗତ ସୁରକ୍ଷା ମିଳିବ ନାହିଁ । ଏହାସହ ସୁପ୍ରିମକୋର୍ଟ ୧୯୯୮ରେ ଦେଇଥିବା ନିଷ୍ପତିକୁ ବି ବଦଳାଇଛନ୍ତି ।

ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ସୋମବାର ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ କିମ୍ବା ଭାଷଣ ଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ । ଏପରିକି ଏସଂପର୍କିତ ୧୯୯୮ର ରାୟକୁ ବଦଳାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ପୂର୍ବ ରାୟକୁ ବଦଳାଇଲେ ସୁପ୍ରିମକୋର୍ଟ
‘ନୋଟ୍ ଫର ଭୋଟ୍’ ମାମଲାରେ ୧୯୯୮ରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ
ପି.ଭି. ନରସିଂହ ରାଓ ମାମଲାରେ ୫ ଜଣିଆ ସାମ୍ବିଧାନିକ ପୀଠ ଦେଇଥିଲେ ରାୟ
ଟଙ୍କା ନେଇ ଭୋଟ୍ ମାମଲାରେ ଅପରାଧିକ ମାମଲା ଚାଲିପାରିବନି କହିଥିଲେ

ସମ୍ବିଧାନର ଧାରା ୧୦୫ର ସେକ୍ସନ ୨ରେ ସାଂସଦ ଓ ବିଧାୟକଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିଛି । ସଂସଦ ଓ ବିଧାନସଭାରେ ସ୍ୱାଧୀନ ଓ ଭୟଶୂନ୍ୟ ହୋଇ ଭୋଟ୍ ଦେବା କିମ୍ବା କୌଣସି ପ୍ରସଙ୍ଗରେ ମତ ରଖିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ଆଧାରରେ ସାଂସଦ ଓ ବିଧାୟକଙ୍କୁ ବିଶେଷ ସୁରକ୍ଷା ଦିଆଯାଇଥିଲା ।

ସୁପ୍ରିମକୋର୍ଟଙ୍କ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚିତ ଜନପ୍ରତିନିଧି ଲାଂଚ ନେବା ଘଟଣା ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ । ଯେକୌଣସି କାମ ପାଇଁ ଲାଂଚ ନେବା ଅପରାଧିକ କାର୍ଯ୍ୟ । ତେଣୁ ଏଥିରୁ କାହାରିକୁ ଆଶ୍ୱସ୍ତି ଦେବା ସମ୍ବିଧାନ ବିରୋଧୀ ।

ସୁପ୍ରିମକୋର୍ଟ ୭ ଜଣିଆ ଖଣ୍ଡପୀଠଙ୍କ ରାୟ
ଭୋଟ୍ ପାଇଁ ଲାଂଚ କାରବାରରେ ସାଂସଦ, ବିଧାୟକଙ୍କ ବିରୋଧରେ ମାମଲା ହୋଇପାରିବ
୧୯୯୮ରେ ଦିଆଯାଇଥିବା ରାୟ, ସମ୍ବିଧାନର ଧାରା ୧୦୫ (୨) ଓ ୧୯୪ର ବିପରୀତ
ଲାଂଚ କାରବାର ଏକ ଅପରାଧିକ କାର୍ଯ୍ୟ, ଏଥିରେ କୌଣସି ଆଶ୍ୱସ୍ତି ମିଳିପାରିବ ନାହିଁ

୧୯୯୩ରେ ନରସିଂହ ରାଓ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ୪ ଜଣ ସାଂସଦ ଟଙ୍କା ନେଇ ଭୋଟ୍ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୧୯୯୮ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ, ସାଂସଦମାନଙ୍କୁ ଆଶ୍ୱସ୍ତି ଦେଇଥିଲେ । ହେଲେ ୨୫ ବର୍ଷ ପରେ କୋର୍ଟ ନିଜ ପୂର୍ବ ନିର୍ଦ୍ଦେଶକୁ ବଦଳାଇ ଦେଇଛନ୍ତି । ୨୦୧୨ରେ ସେହି ଜେଏମଏମର ବିଧାୟିକା ସୀତା ସୋରେନଙ୍କ ବିରୋଧରେ ଭୋଟ ପାଇଁ ଟଙ୍କା ଅଭିଯୋଗ ହୋଇଥିଲା । ହେଲେ ସେ ମଧ୍ୟ ସମ୍ବିଧାନର ଧାରା ୧୦୫ (୨) ଓ ୧୯୪ର ଦ୍ୱାହି ଦେଇ କାର୍ଯ୍ୟାନୁଷ୍ଠାନରୁ ବର୍ତି ଯାଇଥିଲେ ।