ପିଜୁଳି ଚାଷ କରି ଲକ୍ଷପତି: ୟୁଟ୍ୟୁବରୁ ଚାଷ ପ୍ରଣାଳୀ ଶିଖି ବାଡ଼ିରେ ଲାଗାଇଛନ୍ତି ୨୫୦ରୁ ଅଧିକ ଚାରା

162

କନକ ବ୍ୟୁରୋ: କୃଷି ପ୍ରଧାନ ଦେବଗଡ ଜିଲ୍ଲାର ଚାଷୀ ମୁଖ୍ୟତଃ ଧାନଚାଷ ଉପରେ ନୀର୍ଭର କରି ଜୀବିକା ନିର୍ବାହ କରନ୍ତି । ସମୟ କ୍ରମେ ପନିପରିବା ଓ ଫଳ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ଚାଷୀ । ପାରମ୍ପାରିକ ଚାଷ କାର୍ଯ୍ୟରେ ପରିବର୍ତନ କରି ଲାଭାବାନ ହେଉଛନ୍ତି ବାରକୋଟ ବ୍ଲକ କେଲଡା ପଂଚାୟତ ଚାପବାହାଲ ଗାଁର ଅଧିକାଂଶ ଲୋକ । ପିଜୁଳି ଚାଷ ଭଳି ଫଳ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଜଣେ ଯୁବଚାଷୀ ।

ରୋଜଗାର ଦେଉଛି ପିଜୁଳି ଚାଷ । ଦେବଗଡ ଜିଲ୍ଲାର ପାଣିପାଗ ଆମ୍ବ, ଲିଚୁ, ତରଭୂଜ, କଦଳୀ ଓ ପିଜୁଳି ଭଳି ଫଳ ଚାଷ ପାଇଁ ବେଶ ଉପଯୋଗୀ । ଏହି ସବୁ ଫଳ ଚାଷ ଉପରେ ଆଗ୍ରହ ପ୍ରକାଶ କରି ନୂତନ ପିଢିର ଚାଷୀ ମାନେ ଫଳ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ବାରକୋଟ ବ୍ଲକ କେଲଡା ପଂଚାୟତ ଚାପବାହାଲ ଗ୍ରାମର ଯୁବ ଚାଷୀ ସନାତନ ପ୍ରଧାନ ୟୁଟ୍ୟୁବ ଜରିଆରେ ପିଜୁଳି ଚାଷ ପଦ୍ଦତି ଶିଖି ନିଜ ଅଂଚଳରେ ପିଜୁଳି ଚାଷ କାରିଛନ୍ତି । ବିନା କିଛି ସରକାରୀ ସହାୟତାରେ ସୁଦୂର ଛତିଶଗଡ ଅଂଚଳରୁ ୨୫୦ ପିଜୁଳି ଚାରା ଆଣି ନିଜ ବଗିଚାରେ ଲଗାଇଛନ୍ତି । ଯାହା ତାଙ୍କୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର ଦେଉଛି ।

୪ବର୍ଷ ପିଜୁଳି ଚାଷ କରି ବେଶ ଲାଭ ପାଉଛନ୍ତି ସନାତନ । ଯାହାଦ୍ୱାରା ତାଙ୍କର ପରିବାର ପ୍ରତିପୋଷଣରେ ସହାୟକ ହେଉଛି । ଗାଁର କିଛି କର୍ମଚାରୀଙ୍କୁ ବଗିଚାରେ ନିୟାଜିତ କରି ଚାଷକାମର ଦେଖାରଖା କରୁଛନ୍ତି । ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ କନକ ମଞ୍ଜରୀ । ତେବେ ଜିଲ୍ଲାରେ ବଜାର ସୁବିଧା ନଥିବାରୁ ବାହର ଜିଲ୍ଲାର ଚାଷୀଙ୍କୁ ୩୦ରୁ ୩୫ ଟଙ୍କାରେ ପିଜୁଳି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

ସନାତନଙ୍କ ବଗିଚାରୁ ଉତ୍ପାଦିତ ସୁସ୍ୱାଦୁ ପିଜୁଳି ଦେବଗଡ ବଜାର ସହ ପଡୋଶୀ ରାଉରକେଲା ଅଂଚଳର ବ୍ୟବାସୟୀ ମାନେ କିଣି ନେଉଛନ୍ତି । ପ୍ରାୟ ୨୫୦ରୁ ଉଦ୍ଦ୍ୱର୍ ପିଜୁଳି ଗଛ ଲଗାଇ ବଗିଚା କରିଥିବା ସନାତନ ସ୍ଥାନୀୟ ଅଂଚଳର ୪ରୁ ୫ ଜଣ ମହିଳା ଓ ପୁରୁଷଙ୍କୁ ବଗିଚାରେ ନିୟୋଜିତ କରି ସେମାନଙ୍କୁ କର୍ମ ସଂସ୍ଥାନ ଯୋଗଇବାରେ ସଫଳ ହୋଇଛନ୍ତି । ବଗିଚା ସଫେଇ, ଜଳସେଚନ, ଔଷଧ ସିଂଚନ, ଫଳ ତୋଳା ଠାରୁ ଆରମ୍ଭ କରି ଓଜନ ଏବଂ ପ୍ୟାକିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି ୪ରୁ ୫ଜଣ କର୍ମଚାରୀ । ନିଜ ଗାଁରେ ରହି ରୋଜଗାର ପାଇଥିବାରୁ ବଗିଚାର କର୍ମଚାରୀ ମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ପିଜୁଳି ଭଳି ଏକ ଅର୍ଥକାରୀ ଚାଷ କରି ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସନାତନ । ଯାହା ସ୍ଥାନୀୟ ଅଂଚଳର ଅନ୍ୟଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି ।