ପାତ୍ରା ଚୌଲ ଜମି ଦୁର୍ନୀତି ମାମଲା: ଜେଲ ଗଲେ ଶିବସେନା ସାଂସଦ ସଞ୍ଜୟ ରାଉତ

142

କନକ ବ୍ୟୁରୋ: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ୱତନ୍ତ୍ର ପିଏମଏଲଏ ଅଦାଲତ ସୋମବାର ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ଦିର୍ଦ୍ଦେଶାଳୟ ପକ୍ଷରୁ ସଞ୍ଜୟଙ୍କ ବାସଭବନରେ ଚଢଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା ।

୮ ଦିନ ସଞ୍ଜୟଙ୍କୁ ଇଡି ନିଜ ହେପାଜତରେ ରଖି ପଚାରାଉଚୁରା ଚଳାଇଥିଲା । ହେପାଜତ ଅବଧି ସୋମବାର ଶେଷ ହେବା ପରେ ସଞ୍ଜୟଙ୍କୁ ଇଡି ପକ୍ଷରୁ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା । ତଥ୍ୟ ହାସଲ କରିବାକୁ ସଞ୍ଜୟଙ୍କୁ ଆଉ ହେପାଜତରେ ରଖିବା ଆବଶ୍ୟକ ନଥିବା ଇଡି ଅଦାଲତଙ୍କୁ ଜଣାଇବା ପରେ ସ୍ୱତନ୍ତ୍ର ଅଦାଲତ ବିଚାରପତି ଏମଜି ଦେଶପାଣ୍ଡେ ସଞ୍ଜୟଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି ।

ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଘରବନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ ଆବଶ୍ୟକ ଔଷଧ ଦିଆଯିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉ କି ଗତ ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କୁ ଜମି ଦୁର୍ନୀତି ମାମଲାରେ ପଚରାଉଚୁରା କରାଯାଇଥିଲା ।