ପନିପରିବା ନର୍ସରୀ ଦେଉଛି ରୋଜଗାର। ଚାରା ଉତ୍ପାଦନ କରୁଛନ୍ତି ରାୟଗଡ଼ା ସିଙ୍ଗାରି ଗାଁର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା।

119

କନକ ବ୍ୟୁରୋ: ପନିପରିବା ନର୍ସରୀ ଦେଉଛି ରୋଜଗାର । କମ୍ ଜାଗା ଓ କମ୍ ଖର୍ଚ୍ଚରେ ଉତ୍ପାଦନ ହେଉଛି ଚାରା ଗଛ । ଏହି ଚାରାଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯାଇଛି । ମଞ୍ଜି ଗୁଡ଼ିକୁ ପ୍ରତ୍ୟେକ୍ଷ ଭାବେ ମାଟିରେ ନପକାଇ ‘କୋକପିଟ୍’ରେ ପକାଯାଉଛି । ଖରା, ବର୍ଷାରୁ ରକ୍ଷା କରିବା ପାଇଁ ଏକ ପଲ୍ଲି ହାଉସ କରାଯାଇଛି । ଫଳରେ ଅଧିକ ବର୍ଷା କିମ୍ବା ଖରା ହେଲେ ମଞ୍ଜିଗୁଡ଼ିକ ନଷ୍ଟ ହୋଇନଥାଏ । ମାତ୍ର ୪୦ ଫୁଟ ଓସାର ଓ ୬୦ ଫୁଟ ଲମ୍ବ ଜାଗାରେ ତିଆରି ହୋଇଛି ପଲ୍ଲୀ ହାଉସ । ଏଥିରେ ବାଇଗଣ, ଟମାଟୋ, ବନ୍ଧାକୋବି ଭଳି ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଚରା ଲଗାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ନିୟୋଜିତ ହୋଇଛନ୍ତି ଏସଏଚଜି ମହିଳା । ଏହା ଦ୍ୱାରା ସେମାନଙ୍କୁ ରୋଜଗାର ମିଳୁଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତିା

ଚାରା ରୋପଣ ପାଇଁ କୌଣସି ରସାୟନିକ ଜିନିଷର ପ୍ରୟୋଗ କରାନଯାଇ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ମହିଳାମାନେ ଏହାକୁ ପ୍ରସ୍ତୁତ କରୁଛନ୍ତି । ରାୟଗଡ଼ା ସିଙ୍ଗାରି ଗାଁର ମା ଲକ୍ଷ୍ମୀ ଏସଏଚଜି ମହିଳାମାନେ ଘର କାମ ସାରି ଏକାଠି ହୋଇ ଚାରା ପ୍ରସ୍ତୁତିରେ ଲାଗିପଡ଼ନ୍ତି । ନର୍ସରୀରୁ ଉତ୍ପାଦନ ହେଉଥିବା ଚାରା ଗଛ ଗୁଡ଼ିକୁ ନିଜ ବଗିଚାରେ ଲଗାଇବା ସହ ବଜାରରେ ବିକ୍ରି କରନ୍ତି । ଏହି ଗଛ ଗୁଡ଼ିକର ଚାହିଦା ବଜାରର ମଧ୍ୟ ଭଲ ରହିଛି ।

ଚାଷୀଙ୍କୁ କମ୍ ଦାମରେ ଭଲ ଚାରା ଯୋଗାଇଦେବା ଲକ୍ଷ୍ୟରେ ହର୍ଷଟ୍ରଷ୍ଟ ସଂସ୍ଥା ପକ୍ଷରୁ ଏସଏଚଜି ମହିଳାଙ୍କୁ ମଞ୍ଜି, ଜୈବିକ ସାରା ପ୍ରସ୍ତୁତି ପ୍ରଣାଳୀ, ନର୍ସରୀ ତିଆରି ଭଳି ତାଲିମ ଦିଆଯାଉଛି । ଏହି ପଲ୍ଲି ହାଉସରେ ପାଖାପାଖି ଅଢେଇ ଲକ୍ଷ ଚାରା ଲଗାଯାଇଛି । ମାଟିରେ ପକାଇବା ଅପେକ୍ଷା କୋକପିଟ୍ରେ ଚାରା ରୋପଣ କରିବାରୁ ଭଲ ଗଛ ମଧ୍ୟ ହେଉଛି । ପୂର୍ବରୁ ଚାଷୀମାନେ ପ୍ରତି ମଞ୍ଜି ପ୍ୟାକେଟକୁ ୫୦୦ଟଙ୍କାରେ କିଣୁଥିଲେ । ଏକ ହଜାର ମଞ୍ଜି ଲଗାଇଲେ ୩୦୦ରୁ ୪୦୦ ଗଛ ହୋଇପାରୁଥିଲା । କିନ୍ତୁ ଏବେ ନର୍ସରୀରୁ ୫୦୦ ଟଙ୍କାରେ ୫୦୦ ଗଛ ମିଳିପାରୁଛି । ଗୋଟିଏ ଗୋଟିଏ ଗଛକୁ ୧ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି ମହିଳା । କମ୍ ଖର୍ଚ୍ଚରେ ଉତ୍ତମମାନର ଗଛ ମିଳିପାରୁଥିବାରୁ ଏଥିରୁ ଭଲ ଗଛ ହେବା ସହ ଭଲ ପରିବା ଉତ୍ପାଦନ ହୋଇପାରୁଛି । କମ୍ ଦାମରେ ଭଲ ଚାରା ପାଉଥିବାରୁ ଉପକୃତ ହେଉଛନ୍ତି ଚାଷୀ ।