ମାଓବାଦୀ କହି ଦିନ ମଜୁରିଆକୁ ମାରିଦେଲା କି ପୁଲିସ: ଦ୍ୱିତୀୟ ମୃତଦେହ ଚିହ୍ନଟ କରି ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

91

କନକ ବ୍ୟୁରୋ: ପୁଲିସର ମାଓବାଦୀ ଥିଓରୀକୁ ମାନିବାକୁ ରାଜି ନୁହଁନ୍ତି ଗାଁ ଲୋକ । କୋରାପୁଟ ବୈପାରୀଗୁଡ଼ାରେ ପୁଲିସର ଏନକାଉଂଟର ଏବଂ ୨ ଜଣଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିବାରେ ଲାଗିଛି । ନିରୀହ ଦିନ ମଜୁରିଆକୁ ମାଓବାଦୀ କହି ପୁଲିସ ମାରି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ହେବା ପରେ ଉତେଜନା ପ୍ରକାଶ ପାଇଛି । ଜାତୀୟ ରାଜପଥ ଅବରୋଧ କରି ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଡ଼ି ବସିଛନ୍ତି ଗ୍ରାମବାସୀ । ଆଜି ଜୟକୁମାର ନାଗଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକ । ସେ ମାଓବାଦୀ ନୁହଁନ୍ତି, ଦିନ ମଜୁରିଆ ଭାବେ ଗଂଜେଇ ବୋହିବା କାମ ପାଇଁ ଜଙ୍ଗଲକୁ ଯାଇଥିଲେ ବୋଲି କହିଛନ୍ତି ପରିବାର ଲୋକ । ତେବେ ଏ ନେଇ ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ ।

ଶନିବାର ଦିନ ମାଥିଲି ବ୍ଲକର ସର୍ଗିଗୁଡ଼ା ଗାଁର ଧନ କମାରଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ମୃତ ଜୟକୁମାର ନାଗଙ୍କ ପରିଚୟ ମିଳିଛି । ଏହି ଦୁଇ ଜଣଙ୍କ ଜୀବନ ଯାଇଛି ପୁଲିସ ଗୁଳିରେ । ୧୦ ତାରିଖ ରାତିରେ କୋରାପୁଟ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମଳିପଦର ଗାଁ ନିକଟ ଜଙ୍ଗଲ ଅଂଚଳରେ ପୁଲିସ ଏନକାଉଂଟରରେ ଟଳି ପଡିଥିଲେ ଜୟକୁମାର ନାଗ ଓ ଧନ କମାର । ପୁଲିସ ଏମାନଙ୍କୁ ମାଓବାଦୀ କହୁଥିବା ବେଳେ ଦିନ ମଜୁରିଆ ଭାବେ ଦୁହେଁ କାମ କରୁଥିଲେ ବୋଲି କହିଛନ୍ତି ଗ୍ରାମବାସୀ ।

ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲା ଜୟକୁମାର । ମୂଲ ମଜୁରୀ ଲାଗି ବୃଦ୍ଧ ବାପା, ମାଆଙ୍କ ସମେତ ପତ୍ନୀ ଓ ୭ ମାସର ଝିଅ ମୁହଁରେ ସେ ଆହାର ଯୋଗାଉଥିଲେ । ମାଫିଆମାନଙ୍କ ଗଂଜେଇ ଚାଲଣରେ ଶ୍ରମିକ ଭାବେ ସେ କାମ କରୁଥିଲେ । ଗଂଜେଇ ବୋହିବା ପାଇଁ ଘରୁ ବାହାରି ଥିଲେ, ହେଲେ ଜଙ୍ଗଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ହସ୍ତାନ୍ତର ବେଳେ ପରିବାର ଲୋକ ଅଭିଯୋଗ କରିଛନ୍ତି, ଜୟ କୁମାର ମାଓବାଦୀ ନୁହଁନ୍ତି, ତାଙ୍କୁ ମିଛ ଏନକାଉଂଟର କରି ମାରିିଛି ପୁଲିସ ।

ଧନ କମାରଙ୍କ ମୃତ୍ୟୁକୁ ନେଇ ତାତି ଉଠିଛନ୍ତି ଗାଁ ଲୋକ । ପୁଲିସ ମୃତଦେହ ଦେଉନଥିବାରୁ ପ୍ରତିବାଦ ତୀବ୍ର ହୋଇଛି । ମାଲକାନଗିରି-ଜୟପୁର ୩୨୬ ନମ୍ବର ରାଜପଥକୁ ଅବରୋଧ କରି ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ଦାବି କରିଛନ୍ତି । ଧନ କମାରଙ୍କ ମୃତଦେହ ହସ୍ତାନ୍ତର କରିବା ସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅଡି ବସିଛନ୍ତି । ମାଲକାନଗିରି ପୁଲିସ, ପ୍ରଶାସନିକ ଅଧିକାରୀ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।

ଏହି ଅଂଚଳରେ ପୂର୍ବରୁ ମଧ୍ୟ ଫେକ୍ ଏନକାଉଂଟର ଅଭିଯୋଗ ହୋଇଛି । ବୈପାରିଗୁଡ଼ା ବ୍ଳକ ଘୋଡ଼ାବେଡ଼ା ଗାଁରେ ଜଣେ ନିରୀହ ଆଦିବାସୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ମାଳକାନଗିରି ପାପୁଲର ଓର୍କେଲରେ ମଧ୍ୟ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ପୁଣିଥରେ ମାଓବାଦୀ ନାଁରେ ପୁଲିସ ଫେକ୍ ଏନକାଉଂଟର କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

କୋରାପୁଟ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଜଙ୍ଗଲରେ ଏସଓଜିର କୁମ୍ବିଂ ଅପରେସନ ବେଳେ ୨ ଜଣ ମାଓବାଦୀ ମୃତ ବୋଲି ପ୍ରେସମିଟ୍ କରି କହିଥିଲେ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ । ଘଟଣାସ୍ଥଳରୁ ଗୁଳି, ବନ୍ଧୁକ, ବୋମା, ଡିଟୋନେଟର ଆଦି ଜବତ କରାଯାଇଥିବା କହିଥିଲା ପୁଲିସ । ଗାଁ ଲୋକଙ୍କ ଅଭିଯୋଗ ପରେ ପୂରା ମାମଲା ବଦଳି ଯାଇଛି । ଏ ନେଇ ପୁଲିସ କର୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ।