ଶୋଷଣର ଶିକାର ହେବେନି ବଲାଙ୍ଗିରର କପା ଚାଷୀ। ଖୁବ୍ ଶୀଘ୍ର ଜିଲ୍ଲାର ୩ଟି ମଣ୍ଡିରେ ଆରମ୍ଭ ହେବ କପା କିଣା। 

129

କନକ ବ୍ୟୁରୋ: କପା ଚାଷ ପାଇଁ ବଲାଙ୍ଗିର ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ଉନ୍ନତମାନର କପା ପାଇଁ ବଜାରରେ ମଧ୍ୟ ଏହି କପାର ଚାହିଦା ରହିଛି । ତେଣୁ ଚଳିତ ବର୍ଷ କପା ଚାଷୀଙ୍କ ପାଇଁ ଅଣ୍ଟା ଭିଡିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । କିଭଳି ଚାଷୀମାନେ ବିନା ଶୋଷଣରେ ଧଳା ସୁନା ବିକ୍ରି କରିପାରିବେ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲାରେ ଅଧିକାଂଶ ଚାଷୀ କପା ଚାଷ କରି ନିଜର ଜୀବିକା ନିର୍ବାହ କରନ୍ତି । କମ୍ ପାଣି ଓ ଅଳ୍ପ ଦିନରେ ଏହା ଭଲ ଅମଳ ହୋଇଥାଏ  । କମ୍ ପରିଶ୍ରମରେ ଲୋକେ ଭଲ ରୋଜଗାର ମଧ୍ୟ କରିଥାଆନ୍ତି । ଅଧିକାଂଶ ସମୟରେ କପା ବିକ୍ରି ସମୟରେ ଚାଷୀ ଶୋଷଣର ଶିକାର ହୋଇଥାଏ । ଦଲାଲ ଓ ଅସାଧୁ କପା ମିଲରଙ୍କ ଦ୍ୱାରା ଅଭାବୀ ବିକ୍ରିର ଶିକାର ହୋଇଥାଏ । ଏହାକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଚାଷୀଠୁ କପା କିଣୁଥିବା ସଂସ୍ଥା ଓ ଚାଷୀକୁୁ ନେଇ ଏକ ବୈଠକ କରିଛନ୍ତି ଜିଲ୍ଲାପାଳ । ଏହା ସହ ଜିଲ୍ଲାରେ ଖୁବ୍ ଶୀଘ୍ର ତିନୋଟି ମଣ୍ଡିରେ କପାକିଣା ଅରମ୍ଭ ହେବ ବୋଲି ସେ କହିଛନ୍ତି ।

ବଲାଙ୍ଗିର ଜିଲ୍ଲାର ମୁଖ୍ୟତଃ ପାଟଣାଗଡ, ବେଲପଡା, କଂଟାବାଞ୍ଜି, ତୁରେଇକେଲା, ଟିଟଲାଗଡ, ଦେଉଗାଁ ଅଞ୍ଚଳରେ ବହୁଳ ପରିମାଣରେ କପା ଚାଷ ହୋଇଥାଏ । ପାଖାପାଖି ୭୦ ହଜାର ହେକ୍ଟର ଜମିରେ ଚଳିତ ବର୍ଷ କପା ଚାଷ କରିଛନ୍ତି ଚାଷୀ । ଧାନ ଅପେକ୍ଷା କପା ଚାଷରେ ଭଲ ରୋଜଗାର ହେଉଥିବାରୁ ଚାଷୀମାନେ ଏହି ଚାଷ କରିଥାଆନ୍ତି । ବଲାଙ୍ଗିର କପାର ମାନ ବହୁତ ଭଲ ଥିବାରୁ ସୁଦୂର ନାଗପୁରରୁ ବ୍ୟବସାୟୀମାନେ ଏହାକୁ କିଣିଥାଆନ୍ତି । ଚାଷୀଙ୍କ ଘର ପାଖରୁ ଅଧିକ ଦାମରେ କିଣି ନିଅନ୍ତି ବ୍ୟବସାୟୀ । ଅପରପକ୍ଷେ ଏଭଳି ସ୍ଥିତିରେ ଜିଲ୍ଲାରେ ଥିବା ୧୭ଟି କପା ମିଲ ମାଲିକମାନେ ସରକାରକୁ ଟିକସ ଦେଇ କ୍ଷତିରେ ପଡ଼ୁଥିବା କହିଛନ୍ତି ।

ସବୁବର୍ଷ ଜିଲ୍ଲାରେ କପାର ଉତ୍ପାଦନ ବେଶ ଭଲ ହୋଇଥାଏ । ଏହି ଧଳା ସୁନାର କଳା ବଜାର ହେବା ଫଳରେ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଥାଆନ୍ତି । କିନ୍ତୁ ଚଳିତ ବର୍ଷ  ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଚାଷୀଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି ।