ପାତ୍ରା ଚୌଲ ଜମି ଦୁର୍ନୀତି ମାମଲା: ଅଗଷ୍ଟ ୪ ଯାଏଁ ଇଡି ହେପାଜତରେ ରହିବେ ସଞ୍ଜୟ ରାଉତ, ତଦନ୍ତରେ ସହଯୋଗ କରୁନଥିବା କହିଲା ଇଡି

94

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ହଟିଲା । ଶିବସେନା ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ନୁଆ ମୁଖ୍ୟମନ୍ତ୍ରୀ ବନିଲେ । କିନ୍ତୁ ଏବେ ସୁଦ୍ଧା ମହାରାଷ୍ଟ୍ରର ରାଜନତିକ ପରିସ୍ଥିତି ସ୍ଥିର ହେବାର ନାଁ ଧରୁନାହିଁ । ଏବେ ଇଡି ଟାର୍ଗେଟରେ ଶିବସେନା ସାଂସଦ ସଂଜୟ ରାଉତ୍ । ଇଡି ନିଜ ହେପାଜତକୁ ସଂଜୟ ରାଉତଙ୍କୁ ନେଇଛି । ପାତ୍ର ଚଲ ଜମି ଦୁର୍ନୀତି ମାମଲାରେ ଗତକାଲି ରାତିରେ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିଥିଲା ।

ଶିବସେନାର ଏହି ମୁଖପାତ୍ର ଏବେ ଅଗଷ୍ଟ ୪ ଯାଏ ଇଡି ହେପାଜତରେ ରହିବେ । ପାତ୍ର ଚଲ ଜମି ଦୁର୍ନୀତି ମାମଲାରେ ଗତକାଲି ରାତିରେ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିଥିଲା । ସରକାରୀ ଜମିକୁ ଠକିବା, ନିର୍ମାଣକାରୀ କମ୍ପାନୀକୁ ଅନୁଗ୍ରହ ଦେଖାଇବା, ୧, ୦୩୪ କୋଟି ଟଙ୍କା ଠକେଇ ଆଧାରରେ ଇଡି ଏହି ଗିରଫ କରିଛି । କୋର୍ଟରେ ସଞ୍ଜୟଙ୍କୁ ହାଜର କରିଥିଲା ଇଡି । ଏହି ସମୟରେ ଉଭୟ ପକ୍ଷ ରଖିଥିଲେ । ଇଡି ଦସ୍ତାବିଜ ଦାଖଲ କରି କହିଛି ସଞ୍ଜୟ ରାଉତଙ୍କ ପରିବାର ଏହି ଘୋଟାଲା ଜରିଆରେ ୧ କୋଟି ୬ ଲକ୍ଷ ଟଙ୍କା ଲାଭବାନ ହୋଇଛି ।

ଅନ୍ୟପଟେ ସଞ୍ଜୟ ରାଉତ ସାକ୍ଷୀଙ୍କ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଇଡି କୋର୍ଟରେ କହିଛି । ଅନ୍ୟପଟେ ସଞ୍ଜୟ ରାଉତଙ୍କ ଓକିଲ ଅଶୋକ ମୁଣ୍ଡାର୍ଗି କୋର୍ଟରେ କହିଛନ୍ତି, ଏପରି ଗିରଫଦାରୀ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ସେ ଜଣେ ହୃଦରୋଗୀ । ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ସମସ୍ତ ପ୍ରମାଣ କୋର୍ଟରେ ଦିଆଯାଇଛି । ସେପଟେ ଏପରି ଗିରଫଦାରୀକୁ ନେଇ ବଢିଛି ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ପରିବାରକୁ ଭେଟିଛନ୍ତି । ଠିକଣା ସମୟରେ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି । ରାଜନୈତିକ ଆକ୍ରୋଶ ରଖି ସଞ୍ଜୟଙ୍କୁ ଗିରଫ କରାଯାଇଛି ବୋଲି ଉଦ୍ଧବ କହିଛନ୍ତି । ଏଥିସହ କେନ୍ଦ୍ର ସରକାରକୁ ତାନଶାହି ସରକାର କହି ବର୍ଷିଛନ୍ତି ଉଦ୍ଧବ ।

ସେପଟେ ସଂସଦ ବାହାରେ ଇଡି ଶାସକ ଦଳ ବିଜେପିର ଗୋଟିଏ ବିଭାଗ ବୋଲି ଲେଖା ହୋଇଥିବା ପ୍ଲାକାର୍ଡ ଧରି ବିରୋଧ କରିଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ମୁମ୍ବାଇରେ ଆଦିତ୍ୟ ଠାକରେ ମଧ୍ୟ ଏକ ଜନସଭାକୁ ସମ୍ବୋଧିତ କରି ସଞ୍ଜୟ ରାଉତଙ୍କୁ ସମର୍ଥନ କରିିଛନ୍ତି । କଂଗ୍ରେସ ସମେତ ବିଭିନ୍ନ ଦଳ ସଞ୍ଜୟଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ କରାଯାଇଛି ବୋଲି କହିଛନ୍ତି ।

୯ଟି ରାଜ୍ୟରେ ସିବିଆଇର ଯାଂଚ ଉପରେ ପ୍ରତିବନ୍ଧକ ରହିଛି । ଏବେ କେନ୍ଦ୍ରର ଦ୍ୱିତୀୟ ପ୍ରମୁଖ ତଦନ୍ତକାରୀ ସଂସ୍ଥା ଇଡି ସକ୍ରିୟ ରହିଛି । ଅର୍ଥ ବିଭାଗ, ରାଜସ୍ୱ ବିଭାଗ ଅଧୀନରେ ଏହା ଏକ ସ୍ୱତନ୍ତ୍ର ଆର୍ôଥକ ଅନୁସନ୍ଧାନକାରୀ ସଂସ୍ଥା । ଗତ ତିନିରୁ ଚାରି ବର୍ଷ ମଧ୍ୟରେ ଇଡି ବହୁତ ସକ୍ରିୟ ହୋଇଛି । ସୁପ୍ରିମକୋର୍ଟ ପିଏମଏଲଏ ଅଧୀନରେ ଇଡିର ତଦନ୍ତକୁ ଶତ ପ୍ରତିଶତ କ୍ଷମତା ଦେଇଛନ୍ତି । ଏପରି ସ୍ଥିତିରେ ଇଡିକୁ କେନ୍ଦ୍ର ସରକାର ଅଧିକ ସକ୍ରିୟ କରାଉଛନ୍ତି କି ?