ପୁଣି ସକ୍ରିୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସଂସଦରେ ହଙ୍ଗାମା,ବିରୋଧୀଙ୍କ ସମାଲୋଚନା।

82

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ସକ୍ରିୟ ଥିବା ଇଡି ପୁଣି ଥରେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି । ଏଥର ଶିବସେନାର ବଡ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ଜାଲରେ ଛନ୍ଦିଛି । ପାତ୍ର ଚଲ ଜମି ଦୁର୍ନୀତି ମାମଲରେ ତାଙ୍କୁ ଗିରଫ କରିଛି । ଆଉ ଅଧିକ ତଦନ୍ତ ପାଇଁ ଅଗଷ୍ଟ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି । ସଞ୍ଜୟଙ୍କୁ ଗିରଫ କରିବା ପରେ ତେଜିଛି ରାଜନୀତି । ସଂସଦରେ ପ୍ଲାକାର୍ଡ ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି ଶିବସେନା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସଞ୍ଜୟଙ୍କ ଘରକୁ ଯାଇ ତାଙ୍କ ମା ଓ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫଦାରୀ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅଣବିଜେପି ଶାସିତ ରାଜ୍ୟ ଓଡିଶା ଓ ଝାଡଖଣ୍ଡରେ ବି ସକ୍ରିୟ ହୋଇଛି ଇଡି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅତି ନିକଟତମ ବିଧାୟକ ପଙ୍କଜ ମିଶ୍ରଙ୍କ ୧୭ଟି ଠିକଣାରେ ରେଡ୍ କରିଥିଲା ଇଡି । ପୂର୍ବରୁ ଖଣି ସଚିବ ପୂଜା ସିଂଘଲଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିିଥିଲା । ଦୁଇ ଦିନ ତଳେ ଓଡିଶାର ପୂର୍ବତନ ବିଧାୟକ ପ୍ରଭାତ୍ ବିଶ୍ୱାଳଙ୍କ ବ୍ୟାଙ୍କ ଆକାଉଂଟକୁ ଆଟାଚ କରିଥିଲା ଇଡି । ଇଡିର ଏଭଳି କାର୍ଯ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ଇଡି ହଠାତ୍ ସକ୍ରିୟ ହୋଇପଡିବା ପଛରେ ରାଜନୈତିକ ଉଦେଶ୍ୟ ଥିବାର ଗନ୍ଧ ବାରିଛନ୍ତି ରାଜନୀତି ସମୀକ୍ଷକ । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୯ଟି ରାଜ୍ୟରେ ସିବିଆଇର ଯାଞ୍ଚ ଉପରେ ପ୍ରତିବନ୍ଧକ ଥିବାରୁ କେନ୍ଦ୍ରର ଦ୍ୱିତୀୟ ପ୍ରମୁଖ ତଦନ୍ତକାରୀ ସଂସ୍ଥା ଇଡିକୁ କେନ୍ଦ୍ର ସରକାର ସକ୍ରିୟ କରିଥିବା ଚର୍ଚ୍ଚା ହେଉଛି ।