ପୁରୀରେ ମାତିଛନ୍ତି ବାଲି ମାଫିଆ। ରାଜସ୍ୱ ଲୁଟି ପାଲଟୁଛନ୍ତି କୁବେର।

126

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ମାତିଛନ୍ତି ବାଲି ମାଫିଆ । କେଉଁଠି ନଦୀ ପଠା ତ ଅନ୍ୟ କେଉଁଠି ଅନାବାଦି ଗୋଚର ଜମି । ବେଧଡ଼କ ଭାବେ ହାଇୱା ଆଉ ଟ୍ରାକ୍ଟର ଲଗାଇ ଏକର ଏକର ଜମିରୁ ଅବାଧରେ ଲୁଟ ହେଉଛି ହଜାର ହଜାର ଟନ ବାଲି । ପ୍ରଶାସନ ରାଜସ୍ୱ ହରାଉ ଥିବା ବେଳେ ଏପଟେ କୁବେର ହେଉଛନ୍ତି ବାଲି ମାଫିଆ । ଗୋପ ନଦୀ ପଠାରୁ ରାତି ଅଧିଆ ଡ୍ରୋଜର ଲଗାଇ ବାଲି ଖନନ ଓ ଅବାଧ ଚୋରା ଚାଲାଣ ହେଉଛି । ସେହିପରି ପୁରୀ ସଦର ଅଞ୍ଚଳର ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ଚିହ୍ନଟ ଜମି ଅଞ୍ଚଳରୁ ସର୍ବାଧିକ ବାଲି ଚୋରା ଚାଲାଣ ହେବାରେ ଲାଗିଛି । କିଛି ଅସାଧୁ ବ୍ୟକ୍ତି ଏହି କାମରେ ଲିପ୍ତ ଥିବାରୁ ଅଞ୍ଚଳବାସୀ ଭୟରେ ମୁହଁ ଖୋଲୁନାହାନ୍ତି । ବାଲିମାଫିଆଙ୍କ ଦୌରାତ୍ମରୁ ବାଦ ପଡ଼ୁନି ଜଙ୍ଗଲ ଜମି ଅଞ୍ଚଳ । ବାଲି ତାଡ଼ି ନେବା ଫଳରେ ଜଙ୍ଗଲରୁ ବିରାଟ ଗର୍ତ ସୃଷ୍ଟି ହେଲାଣି । ଗତ ୮ମାସ ହେବ ଏହି ଅଞ୍ଚଳରୁ ବାଲି ଚୋରାଚାଲାଣ ବହୁ ସଂଖ୍ୟା ବଢ଼ି ଚାଲିଥିବା ସୂଚନା ରହିଛି ।

ରାଜସ୍ୱ ବିଭାଗ ଓ ପୁଲିସ ଏଦିଗରେ ନିରବଦ୍ରଷ୍ଟା ସାଜିବା ସାଧାରଣରେ ସନ୍ଦେହ ସୃ୍ଷ୍ଟି କରିଛି । ସେପଟେ ଗୋପ, ଡେଲାଙ୍ଗ, ସତ୍ୟବାଦୀ ଅଞ୍ଚଳରେ ବ୍ୟାପକ ଭାବେ ପ୍ରଶାସନ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ ହେବାରେ ଲାଗିଛି ବାଲି । ପୁରୀ ତହସିଲ ଅଧୀନ ଶଙ୍କରପୁର ମୌଜା ଓ ବ୍ରହ୍ମଗିରି ତହସିଲ ଅଧୀନ ସିପସରୁ ବାଲି ମୌଜା ସମ୍ପୂର୍ଣ୍ଣ ବାଲିବନ୍ତ ଉପରେ ଠିଆ ହୋଇଛି । ସମୁଦ୍ର କୂଳିଆ ଅଞ୍ଚଳ ହୋଇଥିବାରୁ ବାଲିବନ୍ତ ଜନବସତି ପାଇଁ ସୁରକ୍ଷା ବାଡ଼ ସାଜିଛି । ଫନି ପ୍ରହାରୁ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେଇଥିଲା ଏହି ବାଲିବନ୍ତ । ହେଲେ ବାଲିମାଫିଆମାନେ ଏହି ବାଲିବନ୍ତଙ୍କୁ ଧ୍ୱଂସ କରିଦେବାକୁ ଯୋଜନା କରିଛନ୍ତି ।

ପୂର୍ବରୁ ବି ଏକାଧିକ ଥର ଏହାକୁ ନଇ ଆନ୍ଦୋଳନ ମୁଣ୍ଡ ଟେକିଛି । କିନ୍ତୁ ଧମକ ଓ ଚାପ ଆଗରେ ସବୁ ନିରବି ଯାଇଛି । ପୂର୍ବରୁ ବାଲି ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଏକ ପ୍ରକାର ବାଲି ଚୋରାଚାଲାଣରେ ଲଗାମ ଲଗାଇଥିଲା । ହେଲେ ଗତ ୮ମାସ ହେବ ବଢ଼ିଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ ।