ଚାକିରି ବଦଳରେ ଜମି ମାମଲାରେ ଲାଲୁଙ୍କୁ ସିବିଆଇ ସମନ୍ । ରାବଡୀଙ୍କ ପରେ ଲାଲୁଙ୍କ ସମନ୍ ପଠାଇଲା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ।

79

କନକ ବ୍ୟୁରୋ: ‘ଚାକିରି ବଦଳରେ ଜମି’ ମାମଲାରେ ସିବିଆଇ ଆଜି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବଙ୍କୁ ସମନ୍ କରିଛି । ଲାଲୁଙ୍କୁ ଏ ମାମଲାରେ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ତେବେ ଏହା ପୂର୍ବରୁ ସିବିଆଇ ସୋମବାର ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବଡି ଦେବୀଙ୍କୁ ମଧ୍ୟ ସମନ୍ କରିଥିଲା । ଭାରତୀୟ ରେଳର କ୍ୟାଟରିଂ ଏବଂ ଟୁରିଜ୍ କର୍ପୋରେସନ୍ ଘୋଟାଲାରେ ପଚରାଉଚୁରା କରିବାକୁ ସମନ୍ କରିଛି ।

ସିବିଆଇ ତରଫରୁ ମିଳିଥିବା ସୂଚନା ମୁତାବକ, ଲାଲୁ ଯାଦବ ୨୦୦୪ରୁ ୨୦୦୯ ଭିତରେ ରେଳମନ୍ତ୍ରୀ ଥିବା ବେଳେ ଗ୍ରୁପ ଡିରେ ନିଯୁକ୍ତି ବଦଳରେ ନିଜ ପରିବାର ସଦସ୍ୟଙ୍କ ନାଁରେ ଜମି କରାଇନେଇଛନ୍ତି । ଏହି କେସ୍ ୧୪ ବର୍ଷ ତଳର ହୋଇଥିବାବେଳେ, ଏହି ସ୍କାମକୁ ନେଇ ସିବିଆଇ ଏବେ ଲାଲୁଙ୍କୁ ସମନ୍ କରିଛି । ତେବେ ସିବିଆଇର କହିବା କଥା, ଲାଲୁ ଯାଦବ ନିଜ ପରିବାର ଲୋକଙ୍କ ନାଁରେ ପ୍ରାୟ ୧.୦୫ ଲକ୍ଷ ବର୍ଗଫୁଟ୍ ଜମି କରାଇନେଇଛନ୍ତି । ଏହାର ଡିଲ୍ ନଗଦ ରାଶି ମାଧ୍ୟମରେ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି ।

ଫେବ୍ରୁଆରୀ ୨୭ ତାରିଖରେ ଦିଲ୍ଲୀର ଏକ ଅଦାଲତ ଜମି ବଦଳରେ ଚାକିରି ଘୋଟାଲାରେ ଲାଲୁ ଯାଦବ, ରାବଡି ଦେବୀଙଅକ ସହ ଅନ୍ୟ ୧୪ ଜଣ ଲୋକଙ୍କୁ ସମନ କରିଥିଲେ । ସିବିଆଇ ଗତବର୍ଷ ଅକ୍ଟୋବର ୧୦ ତାରଇଖରେ ଲାଲୁ ଯାଦବ ଓ ତାଙ୍କ ପତ୍ନୀଙ୍କ ସହ ଏହି କେସରେ ୧୬ ଜଣ ଅଭିଯୁକ୍ତିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ତେବେ ଚାର୍ଜସିଟ୍ ମୁତାବକ, ଲାଲୁ ଓ ଅନ୍ୟମାନଙ୍କ ବିରୋଧରେ ପ୍ରାରମ୍ଭିକ ଯାଞ୍ଚ ପରେ ମିଳିଥିବା ପରିଣାମ ମୁତାବକ ମାମଲା ଦାୟର କରାଯାଇଥିଲା ।

ସିବିଆଇ ଅଭିଯୋଗ କରିଛି ଯେ, ଭୂମି ହସ୍ତାନ୍ତରଣର ସାତ ଉଦାହରଣ ମାଧ୍ୟମରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ବେନିୟମ ଭାବେ ଚାକିରି ଦେଇଛନ୍ତି । ସିବିଆଇ ଆହୁରି ମଧ୍ୟ କହିଛି ଯେ, ଜୋନାଲ ରେଲୱେରେ ନିଯୁକ୍ତି ନେଇ ମଧ୍ୟ କୌଣସି ବିଜ୍ଞାପନ ଦିଆଯାଇନଥିଲା । ଲାଲୁ ଯାଦବଙ୍କ ପରିବାରକୁ ଭୂମି ଦେଇଥିବା ଲୋକଙ୍କୁ ରେଳ ବିଭାଗରେ ଚାକିରି ଦିଆଯାଇଥିବା ସିବିଆଇ ଅଭିଯୋଗ କରିଛି ।