ୟୁକ୍ରେନର ରେଳ ଷ୍ଟେସନରେ ରୁଷିଆର ମିଜାଇଲ୍ ମାଡ଼ । ୩୦ ମୃତ, ଶହେରୁ ଅଧିକ ଆହତ

133

କନକ ବ୍ୟୁରୋ : ରୁଷ- ୟୁକ୍ରେନ ଭିତରେ ଯୁଦ୍ଧକୁ ୪୧ ଦିନ ହୋଇ ସାରିଲାଣି । ଦୁଇ ଦେଶ ମଧ୍ୟରେ ଏବେ ବି ଶାନ୍ତି ପ୍ରତିଷ୍ଠା ପାଇଁ ବୁଝାମଣା ହୋଇ ପାରୁନାହିଁ । ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳରୁ ରୁଷୀୟ ସେନା ପଛକୁ ହଟିଛନ୍ତି ସତ ହେଲେ ୟୁକ୍ରେନ ଉପରେ ଆକ୍ରମଣ କରିବା ବନ୍ଦ ହୋଇ ନାହିଁ । ସୋମବାର ପୁଣି ଥରେ ୟୁକ୍ରେନ ଖାରକିଭ ସହରରେ ରକେଟ୍ ମାଡ କରିଛି ପୁଟିନ୍ ବାହିନୀ । ଏଥିରେ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ୟୁକ୍ରେନ ଉପରେ ରୁଷିଆର ଜୋରଦାର ଆକ୍ରମଣ ଜାରିରହିଛି । ମିଳିଥିବା ସୂଚନା ଅନୁସାରେ ଡୋନେସ୍କ ଓ କ୍ରାମାଟୋର୍ସ୍କ ରେଳଷ୍ଟେସନରେ ବଡ ଧରଣର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେ ଜଣ ଗୁରୁତର ଭାବେ ଆହତ ହୋଇଥିବା ଦାବି କରିଛି ୟୁକ୍ରେନ । ସୂଚନା ଅନୁସାରେ ଡୋନେସ୍କରେ ଫସିଥିବା ୟ୍ରୁକ୍ରେନ ନାଗରିକଙ୍କୁ ୟୁକ୍ରେସନ ସେନା ସେଠାରୁ ଉଦ୍ଧାର କରୁଥିବା ବେଳେ ଏହି ମିଜାଇଲ ଆକ୍ରମଣ ହୋଇଛି । ସାଧାରଣ ନାଗରିକଙ୍କ ଉପରେ ରୁଷିଆ ସେନା ଆକ୍ରମଣ କରୁଥିବା ପୁଣି ଥରେ ଅଭିଯୋଗ କରିଛି ୟୁକ୍ରେନ ।

  • ରୁଷ ବିରୋଧରେ ମିଳିତ ଜାତିସଂଘର କାର୍ଯ୍ୟାନୁଷ୍ଠାନ
  • ମିଳିତ ଜାତିସଂଘ ମାନବିକ ଅଧିକାର ପରିଷଦରୁ ରୁଷିଆ ନିଲମ୍ବିତ

ୟୁକ୍ରେନର ବୁଚା ସହରରେ ଆକ୍ରମଣକୁ ନେଇ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁଏନଜିଏ । ମିଳିତ ଜାତିସଂଘର ମାନବିକ ଅଧିକାର ପରିଷଦରୁ ରୁଷିଆକୁ ନିଲମ୍ବନ କରି ଦିଆଯାଇଛି । ୟୁକ୍ରେନର ବୁଚା ସହରରେ ଗଣସଂହାର ପ୍ରତିବାଦରେ ଜାତିସଂଘର ସାଧାରଣ ଅଧିବେଶନ ବସିଥିଲା । ରୁଷ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ଆଣି ମାନବିକ ଅଧିକାର ପରିଷଦରୁ ରୁଷିଆକୁ ସସପେଣ୍ଡ କରିବା ପାଇଁ ଭୋଟିଂ ହୋଇଥିଲା । ପ୍ରସ୍ତାବ ସପକ୍ଷରେ ୯୩ଟି ଭୋଟ ପଡ଼ିଥିବା ବେଳେ ବିରୋଧରେ ପଡ଼ିଥିଲା ୨୪ଟି ଭୋଟ । ଭାରତ ସମେତ ୫୮ଟି ଦେଶ ଭୋଟଦାନରୁ ବିରତ ରହିଥିଲେ । ରୁଷ ସପକ୍ଷରେ ଖୋଲାଖୋଲି ଚୀନ, ଇରାନ, ନର୍ଥ କୋରିଆ, ସିରିଆ, ତାଜକିସ୍ତାନ, ବେଲାରୁଷ, ଭିଏତନାମ, ଜିମ୍ବାୱେ ସମେତ ୨୪ଟି ରାଷ୍ଟ୍ର ମତଦାନ କରିଥିଲେ । ୟୁକ୍ରେନରେ ରୁଷ ନରସଂହାର କରୁଥିବା ଅଭିଯୋଗ କରିଥିଲେ ଆମେରିକା ସମେତ ୟୁରୋପୀୟ ଦେଶ । ସେପଟେ ରୁଷ କହିଛି, ରୁଷ ବିରୋଧରେ ଏହା ପଶ୍ଚିମ ଦେଶଗୁଡିକର ଷଡ଼ଯନ୍ତ୍ର ।

୨୦୦୬ ମସିହାରେ ପ୍ରତିଷ୍ଠିତ ଜାତିସଂଘର ମାନବିକ ଅଧିକାର ପରିଷଦରୁ ଦ୍ୱିତୀୟ ଦେଶ ଭାବେ ବାହାର ହୋଇଛି ରୁଷ । ଏହାପୂର୍ବରୁ ୨୦୧୧ ମସିହାରେ ଲିବିୟାକୁ ମାନବିକ ଅଧିକାର ପରିଷଦରୁ ବିଦା କରାଯାଇଥିଲା । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ଆମେରିକା, ବ୍ରିଟେନ ଓ ୟୁରୋପୀୟ ଦେଶ ଦ୍ୱାରା ଜାତିସଂଘ ସୁରକ୍ଷା ପରିଷଦ, ଜାତିସଂଘର ସାଧାରଣ ଅଧିବେଶନ ଓ ମାନବାଧିକାର ପରିଷଦରେ ରୁଷ ବିରୋଧରେ ୧୦ଟି ପ୍ରସ୍ତାବ ଦିଆଯାଇଛି । ସେହି ସବୁ ପ୍ରସ୍ତାବର ଭୋଟିଂରେ କିନ୍ତୁ ଭାରତ ସାମିଲ ହୋଇ ନାହିଁ ।