ଜେଲ ଭିତରେ ରାଜକୀୟ ସୁଖ । ଆଲିଶାନ ଜୀବନ କାଟୁଥିଲା ସୁକେଶ ଚନ୍ଦ୍ରଶେଖର

260

କନକ ବ୍ୟୁରୋ: ୨୦୦କୋଟି ଟଙ୍କା ମନିଲଣ୍ଡ୍ରିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରକୁ ନେଇ ହୋଇଛି ଚାଞ୍ଚଲ୍ୟକର ଖୁଲାସା । ଟଙ୍କାର ତାକତ କେତେ ସେକଥା ଜେଲ ଭିତରେ ଥାଇ ପ୍ରମାଣ କରିଛି ଏହି କନମ୍ୟାନ । ଅଭିଯୁକ୍ତ ଭାବେ ସୁକେଶ ଯେଉଁ ସମୟରେ ଦିଲ୍ଲୀ ରୋହିଣୀ ଜେଲରେ ରହୁଥିଲା ସେ ସମୟରେ କାଟୁଥିଲା ରାଜକୀୟ ଜୀବନଶୈଳୀ । ଆଇଫୋନ ବ୍ୟବହାର କରୁଥିଲା, ଇଂଟରନେଟର ଭରପୂର ମଜା ଉଠାଉଥିଲା, ଫେସବୁକଠୁ ନେଇ ଇନଷ୍ଟାଗ୍ରାମ, ଟୁଇଟର, ହ୍ୱାଟସଅପ ଓ ସବୁ ପ୍ରକାର ସୋସିଆଲ ମିଡିଆ ଚଳାଉଥିଲା । ତାରକା ହୋଟେଲରେ ଖାଦ୍ୟ ଖାଉଥିଲା । କେବଳ ସେତିକି ନୁହେଁ ଯେତେବେଳେ ତାର ଯାହା ଇଚ୍ଛା ହେଉଥିଲା ଗୋଟିଏ ଇସାରାରେ ପୂରା ମଧ୍ୟ କରୁଥିଲା । ଦିଲ୍ଲୀ ରୋହିଣୀ ସେଂଟ୍ରାଲରେ ବନ୍ଦୀ ଥିବା ସୁକେଶ ଚନ୍ଦ୍ରଶେଖରକୁ ନେଇ ଏବେ ହୋଇଛି ଏହି ବଡ ଖୁଲ୍ଲାସା ।

ଜେଲ ଭିତରେ ସୁକେଶ ଏସବୁ ସୁବିଧା ପାଇବା ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଥିଲା । କାରଣ ଜେଲର ୩ଜଣ ବରିଷ୍ଠ ଅଧିକାରୀ ମୋଟା ଅଙ୍କର ଅର୍ଥପାଇ ସୁକେଶ ଇସାରାରେ କାମ କରୁଥିଲେ । ରୋହିଣୀ ଜେଲର ସୁପରିଟେଣ୍ଡ ସୁନ୍ଦର ବୋରାଙ୍କୁ ମାସିକ ଦେଢକୋଟି ଲାଞ୍ଚ, ଡେପୁଟି ସୁପରିଟେଣ୍ଡ ମହେନ୍ଦ୍ର ପ୍ରସାଦ ସୁନ୍ଦ୍ରିଆଲଙ୍କୁ ୧କୋଟି ଓ ଆସିଷ୍ଟାଣ୍ଟ ସୁପରିଟେନଡେଂଟ ଧରମ ସିଂ ମୀଣାଙ୍କୁୁ ମାସିକ ୨୫ଲକ୍ଷ ଟଙ୍କା ଦେଉଥିଲା ସୁକେଶା

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସୁକେଶ ଜେଲ ଭିତରେ କଣ କରୁଛି ଏହା ଉପରେ ପର୍ଦ୍ଦା ପକାଇବାକୁ ଜେଲ ସିସିଟିଭିକୁ ଜାଣିଶୁଣି ଅଚଳ କରାଯାଇଥିଲା । ଏଥିସହ କିଛି ସିସିଟିଭି ଉପରେ କପଡା ମଧ୍ୟ ଢାଙ୍କି ଦିଆଯାଉଥିଲା । କୋର୍ଟଙ୍କ ବିନା ଅନୁମତିରେ ବାରାକ ବାହାରକୁ ଆସି ଘଂଟା ଘଂଟା ଘୁରିବୁଲୁଥିଲା ସୁକେଶ । ଅନ୍ୟପଟେ ଗିରଫ ଅଧିକାରୀଙ୍କ ଉପରେ ଚାଲିଥିବା ମନିଲଣ୍ଡ୍ରିଂ ମାମଲାର ଶୁଣାଣି ୨୦ ତାରିଖରେ କରାଯିବ ।