ପୁଣି ବଢୁଛି କରୋନା ସଂକ୍ରମଣ: ଦେଶରେ ୬ ହଜାର ଓ ରାଜ୍ୟରେ ଶହେ ଟପିଲା ଦୈନିକ ମାମଲା

1,303

କନକ ବ୍ୟୁରୋ: ପୁଣି ଚିନ୍ତା ବଢ଼ାଇଲା କୋଭିଡ ସଂକ୍ରମଣ । କରୋନା କେସ୍ ବଢ଼ୁଥିବାରୁ ସବୁ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଚର୍ଚ୍ଚା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଏହି ଚର୍ଚ୍ଚା ପରେ, ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏପଟେ ଦୈନିକ ସଂକ୍ରମଣ ଦେଶରେ ୬ ହଜାର ଓ ରାଜ୍ୟରେ ଶହେ ଟପିଛି ।

ସଂକ୍ରମଣର ସଂଖ୍ୟା (ଭାରତ)
ତାରିଖ ସଂକ୍ରମଣ
୭ ଏପ୍ରିଲ ୬,୦୫୦
୬ ଏପ୍ରିଲ ୫,୩୩୫
୫ ଏପ୍ରିଲ ୪,୪୩୮
୪ ଏପ୍ରିଲ ୩,୬୪୧

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣର ଏହି ସଂଖ୍ୟା ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗକୁ ମନ୍ଥନ କରିବାକୁ ବାଧ୍ୟ କରିଦେଇଛି । ମାତ୍ର ୪ଦିନ ତଳେ ଯେଉଁ ସଂକ୍ରମଣ ସଂଖ୍ୟା ମାତ୍ର ୩ ହଜାର ୬୪୧ ଥିଲା, ଏବେ ୬ ହଜାର ଟପି ଯାଇଛି । ଅର୍ଥାତ୍ ଗତାକାଲି ତୁଳନାରେ କରୋନା ସଂକ୍ରମଣ ବଢ଼ିଛି ପ୍ରାୟ ୧୩ % ।

ସଂକ୍ରମଣର ସଂଖ୍ୟା (ଓଡ଼ିଶା)
ତାରିଖ ସଂକ୍ରମଣ
୭ ଏପ୍ରିଲ ୧୦୪
୬ ଏପ୍ରିଲ ୯୮
୫ ଏପ୍ରିଲ ୬୮

ଠିକ୍ ଦେଶର ସଂଖ୍ୟା ବଢ଼ି ଓଡ଼ିଶାରେ ବି ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେବାରେ ଲାଗିଛି । ଓଡ଼ିଶାରେ ଏବେ ନୂଆ ସଂକ୍ରମଣ ସଂଖ୍ୟା ଶହେ ଟପିଯାଇଛି । ଏପ୍ରିଲ ୫ ତାରିଖରେ ସଂକ୍ରମଣ ସଂଖ୍ୟା ମାତ୍ର ୬୮ ଥିବା ବେଳେ ଏବେ ୧୦୪କୁ ଛୁଇଁଛି । ସଂକ୍ରମଣର ଏହି ସଂଖ୍ୟା ଭିତରେ ଆଶ୍ୱସ୍ତିକର କଥା ହେଉଛି, ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସରେ ଜଣେ ବି ପିଲା ସଂକ୍ରମିତ ହୋଇ ନାହାନ୍ତି ।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଚର୍ଚ୍ଚା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଏହି ଚର୍ଚ୍ଚା ପରେ, ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ସ୍ତରରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏପ୍ରିଲ୍ ୧୦ ଏବଂ ୧୧ ତାରିଖ ହସ୍ପିଟାଲ ଗୁଡ଼ିକର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାଂଚ ପାଇଁ ମକ୍ ଡ୍ରିଲ୍ ଏବଂ ସ୍ୱାସ୍ଥ୍ୟ ସେବାର ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଥିଲେ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ।

ଏସବୁ ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଣ୍ଡିଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଯଦିଓ ଏବେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି, ତଥାପି ମାରାତ୍ମକ ହେଉନଥିବା ବିଶେଷଜ୍ଞ କହିଛନ୍ତି । ତେବେ ବୟସ୍କ, ଶିଶୁ, ଗର୍ଭବତୀ ଓ ବହୁବ୍ୟାଧିରେ ପୀଡିତ ଲୋକଙ୍କୁ ସଜାଗ ରହିବାକୁ ବାରମ୍ବାର ପରାର୍ମଶ ଦିଆଯାଉଛି ।