ପିଚକୁ ନେଇ ପ୍ରଶ୍ନ ଉଠିବା ପରେ…ଭାରତୀୟ ପିଚକୁ ସପୋର୍ଟ କଲେ ରୋହିତ ଶର୍ମା । ପରାଜୟ ପରେ ବି କହିଲେ ଏମିତି କଥା…

138

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ଏବେ ୨-୧ରେ ଆଗୁଆ ରହିଛି । ତେବେ ସିରିଜର ପ୍ରଥମ ତିନୋଟି ମ୍ୟାଚର ଫଳାଫଳ କେବଳ ୩ ଦିନରେ ହିଁ ଆସିଯାଇଛି । ତେଣୁ ସିରିଜରେ ପିଚକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଭଳି ସମୟରେ ଭାରତୀୟ ପିଚକୁ ଆଲୋଚନା ମଧ୍ୟ ହେଉଛି । ହେଲେ ଏହାରି ଭିତରେ ଭାରତୀୟ ଟିମର କ୍ୟାପଟେନ୍ ରୋହିତ ଶର୍ମା, ଭାରତୀୟ ପିଚକୁ ସପୋର୍ଟ କରିବା ସହ ବ୍ୟାଟ୍ସମ୍ୟାନମାନେ ଏହି ପିଚରେ କେମିତି ଖେଳିବେ ସେନେଇ ପ୍ରସ୍ତୁତ ହେବାର ତରିକା ଖୋଜିବା ଦରକାର ବୋଲି କହିଛନ୍ତି ।

ସ୍ପିନକୁ ଅଧିକ ସପୋର୍ଟ କରୁଥିବା ଏହି ପିଚକୁ ନେଇ ରୋହିତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା କଥା, ଏଭଳି ପିଚ୍ ଟିମର ଶକ୍ତି ଅଟେ । ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନମାନେ ଏହା ଉପରେ କେମିତି ଖେଳିବେ, ତାହାର ତରିକା ଖୋଜିବା ଦରକାର ।

ସୂଚନାଯୋଗ୍ୟ ଯେ, ଇନ୍ଦୋରର ହୋଲକର ଷ୍ଟାଡିୟମରେ ତୃତୀୟ ଟେଷ୍ଟର ଫଳାଫଳ ତୃତୀୟ ଦିନର ପ୍ରଥମ ସେସନରେ ହିଁ ଆସିସାରିଛି । ଅଷ୍ଟ୍ରେଲିଆ ଏହି ଟେଷ୍ଟ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାଜିତ କରିଛି । ତେବେ ପରାଜୟ ପରେ ବି ଟିମ୍ ଇଣ୍ଡିଆ ଏବେ ଟେଷ୍ଟ ସିରିଜରେ ଆଗୁଆ ଅଛି । ଆସନ୍ତା ମାର୍ଚ୍ଚ ୯ ତାରିଖରୁ ଏହି ସିରିଜର ଚତୁର୍ଥ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।

ରୋହିତ ଶର୍ମାଙ୍କ କହିବା କଥା, ସାଧାରଣତଃ ସିରିଜ୍ ପୂୂର୍ବରୁ ପିଚରେ କେମିତି ଖେଳିବାକୁ ପଡିବ, ସେନେଇ ଆମେ ଆଲୋଚନା କରୁ । ବ୍ୟାଟ୍ସମ୍ୟାନଙ୍କ ଉପରେ ଏନେଇ କୌଣସି ଚାପ ରହିନଥାଏ । ଆମେ ଯେତେବେଳେ ମ୍ୟାଚ୍ ଜିତୁ, ସେତେବେଳେ ସବୁ ଠିକ୍ ଲାଗେ । ସେତେବେଳେ ଆମ ବ୍ୟାଟିଂକୁ ନେଇ କୌଣସି କଥା କୁହାଯାଇନଥାଏ । ହେଲେ ଆମେ ଯେତେବେଳେ ହାରୁ, ସେତେବେଳେ ଏହାକୁ ନେଇ କଥା ଉଠେ । ପିଚକୁ ନେଇ ପ୍ରଶ୍ନ ଉଠେ । ସେ ସବୁ ପାଇଁ ଆମେ ପ୍ରସ୍ତୁତ ବୋଲି ରୋହିତ ଶର୍ମା କହିଛନ୍ତି ।