ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ଘୋଷଣାକୁ କିଛି ସମୟର ଅପେକ୍ଷା। ଭାଙ୍ଗିବ ଏହି ସବୁ ରେକର୍ଡ, ପଢନ୍ତୁ …

133

କନକ ବ୍ୟୁରୋ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ? ଋଷି ସୁନକ ନା ଲିଜଷ୍ଟ୍ରସ ଏହାର ଘୋଷଣା ଅପରାହ୍ନ ୫ଟାରେ ହେବ । ଆଜିର ମୁକାବିଲାରେ ସୁନକ ଏବଂ ଷ୍ଟ୍ରସଙ୍କ ଭବିଷ୍ୟତର ଫଇସଲା ହେବ । ବ୍ରିଟେନର ପ୍ରଧାନମନ୍ତ୍ରୀ ନାମର ଘୋଷଣା ହେବା ସହ ସୋମବାର ଅନେକ ନୂଆ ରେକର୍ଡ ତିଆରି ହେବା ସହ କିଛି ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି । ଅନେକ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦର ଘୋଷଣା ବ୍ରିଟେନର ମହାରାଣୀ ବକିଂହାମ ପ୍ୟାଲେସରୁ କରିଥାନ୍ତି । ତେବେ ଚଳିତ ଥର ଏଭଳି ହେବ ନାହିଁ । ଚଳିତ ଥର ପ୍ରଧାନମନ୍ତ୍ରୀ ନାଁର ଘୋଷଣା ସ୍କଟଲାଣ୍ଡରୁ ହେବାକୁ ଯାଉଛି । ଇଂଲଣ୍ଡର ରାଣୀ ଏଲିଜା ବେଥ ଦ୍ୱିତୀୟ ବର୍ତ୍ତମାନ ସ୍କଟଲାଣ୍ଡର ବଲମାଁରଲ କ୍ୟାସେଲରେ ଅଛନ୍ତି । ତେଣୁ ପୁରୁଣା ପରମ୍ପରା ଭାଙ୍ଗିବା ସହ ସ୍କଟଲାଣ୍ଡରୁ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହେବ ।

ମଙ୍ଗଳବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଡାଉନିଂ ଷ୍ଟ୍ରିଟ ବାହାରକୁ ଆସି ବୟାନ ଦେବେ । ବୟାନ ଦେବା ପରେ ମହାରାଣୀଙ୍କୁ ଇସ୍ତଫାପତ୍ର ଦେବା ପାଇଁ ସ୍କଟଲାଣ୍ଡ ଯିବେ । ସାଧାରଣ ଭାବେ ପ୍ରଧାନମନ୍ତ୍ରୀ ଇସ୍ତଫାପତ୍ର ବକିଂହାମ ପ୍ୟାଲେସରେ ମହାରାଣୀଙ୍କୁ ଦେଇଥାନ୍ତି । ତେବେ ଚଳିତ ଥର ବୋରିସଙ୍କ ଇସ୍ତଫା ପରେ ନୂଆ ପ୍ରଧାନମନ୍ତ୍ରୀ ସରକାର ଗଠନ ପାଇଁ ମହାରାଣୀଙ୍କୁ ଭେଟିବେ । ମହାରାଣୀଙ୍କ ୭୦ ବର୍ଷର ଶାସନ କାଳ ମଧ୍ୟରେ ୧୪ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିସାରିଛନ୍ତି ।

ଯଦି ଋଷି ସୁନକ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ପ୍ରଥମ ଅଣ-ଶ୍ୱେତ ପ୍ରଧାନମନ୍ତ୍ରୀ ହେବେ । ବୋରିସ ସରକାରରେ ସେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟକରୁଥିଲେ  । ଋଷିଙ୍କୁ ଦଳରେ ବୋରିସଙ୍କ ବିରୋଧ ବିଦ୍ରୋହ କରିଥିବା ନେତା ଭାବେ ଦେଖାଯାଏ । ପ୍ରଥମରୁ ଋଷି ‘ରେଡି ଫର ଋଷ’ି ନାମରେ କ୍ୟାମ୍ପେନ ଚଳାଉଥିଲେ ।

ସେହିଭଳି ୪୭ ବର୍ଷୀୟ ଲିଜ୍ ଷ୍ଟ୍ରସ ବୋରିସ ସରକାରରେ ବିଦେଶ ମନ୍ତ୍ରୀ ଥିଲେ । ଗତ ୨୨ ବର୍ଷ ଧରି ସେ ସକ୍ରିୟ ରାଜନୀତିରେ ରହିଛନ୍ତି । ଯଦି ଲିଜ୍ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ବ୍ରିଟେନ ଇତିହାସର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ । ପ୍ରଥମେ ଲେବେରାଲ ଡେମୋକ୍ରାଟ ଦଳରେ ଥିବା ବେଳେ ପରେ ସେ କଞ୍ଜରଭେଟିଭ ଦଳରେ ଯୋଗ ଦେଇଥିଲେ ।