ସଫଳତା ଆଣିଦେଲା ଖେଳଣା ବ୍ୟବସାୟ । ଲ୍ୟାଣ୍ଡମାର୍କ ଗ୍ରୁପର ବିଶ୍ୱରେ ରହିଛି ୨୨୦୦ ଷ୍ଟୋର, ହୋଟେଲ ବ୍ୟବସାୟରୁ ଲାଭ ହେଉଛି ଶହ ଶହ କୋଟି ଟଙ୍କା

134

କନକ ବ୍ୟୁରୋ : ଯାହା ବାସ୍ତବରେ ଅଦୃଶ୍ୟ ରହିଥାଏ ତାହା ସ୍ୱପ୍ନ । ଯାହାକୁ ଅନୁଭବ କରାଯାଇପାରେ ନାହିଁ ତାହା ଇଚ୍ଛା । ଯାହାକୁ ପାଇବାକୁ ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଦିଆଯାଏ ତାହା ହେଉଛି ସଫଳତା । ସଫଳତା କାହାକୁ ପରିବାର ସତ୍ତାରୁ ମିଳିଛି ତ କାହାକୁ ଲଟେରୀ ଉଠାଣରୁ ମିଳିଛି । ହେଲେ ବାସ୍ତବ ସଫଳତା ସେହିମାନଙ୍କୁ ମିଳିଛି ଯେଉଁମାନେ ଜୀବନର ସଜ୍ଞାକୁ କେବଳ ସଂଘର୍ଷ ବୋଲି ଧରିନେଇଛନ୍ତି ।

ଦେଶର ମହିଳାମାନଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ସରକାର ସଂସଦରେ ବିଲ୍ ପାରିତ କରିଛନ୍ତି । ଏହାକୁ ନେଇ ମହିଳାମାନେ ଉତ୍ସବ ମନାଇଥିଲେ । ହେଲେ ବିନା ସଂରକ୍ଷଣରେ ଯେ ଜଣେ ମହିଳା ନିଜକୁ ସଫଳ ବୋଲି ପ୍ରତିପାଦିତ କରିପାରିବ ତାହାର ଉଦହରଣ ସାଜିଛନ୍ତି ଜଣେ କ୍ୟାବ ଡ୍ରାଇଭରଙ୍କ ପତ୍ନୀ ।

ଦେଶରେ ଧନୀ ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫୋବର୍ସ କିଛିଦିନ ତଳେ ଭାରତର ପ୍ରମୁଖ ୧୦୦ ଧନୀ ଲୋକଙ୍କ ତାଲିକା ଜାରି କରିଛି । ଏଥିରେ ଏଥର ଅନେକ ନୂଆ ଲୋକଙ୍କ ନାମ ଯୋଡି ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ତାଲିକାରେ ଅନେକ ମହିଳାଙ୍କ ନାମ ସ୍ଥାନ ପାଇଛି । ଏହି ନାମ ଭିତରୁ ଅନ୍ୟତମ ହେଉଛନ୍ତି ରେଣୁକା ଜଗତିଆନୀ । ରେଣୁକାଙ୍କ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତାଙ୍କ ସ୍ୱାମୀ ଜଣେ କ୍ୟାବ୍ ଡ୍ରାଇଭର ଥିଲେ । ହେଲେ ରେଣୁକାଙ୍କ ନାମ ଆଜି ଫୋବର୍ସ ଧନୀ ତାଲିକାରେ ପ୍ରକାଶ ପାଇଛି । ଆସନ୍ତୁ ଜାଣିବା ତାଙ୍କ ବାବଦରେ —-

ରେଣୁକା ଜଗତିଆନୀ ଭାରତୀୟ ଧନୀ ତାଲିକାରେ ୪୪ ତମ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୩୯,୯୨୧ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ଆଜି ହୁଏତ ରେଣୁକା ଭାରତୀୟ ଧନୀ ତାଲିକାରେ ଏକ ସମ୍ମାନଜନକ ସ୍ଥାନରେ ପହଂଚିପାରିଛନ୍ତି ହେଲ ଏହି ସ୍ଥାନରେ ପହଂଚିବା ପଛରେ ତାଙ୍କର କେତେ ଯେ ସଂଘର୍ଷ ରହିଛି ତାହା ଏହି କଥାରୁ ଅନୁମାନ କରାଯାଇପାରିବ । ଗୋଟିଏ ସମୟ ଥିଲା ଯେତେବେଳେ ରେଣୁକାଙ୍କ ଦିବଙ୍ଗତ ସ୍ୱାମୀ ମିକି ଜଗତିଆନି ଜଣେ କ୍ୟାବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ୧୯୭୦ ଦଶକରେ ମିକି ଲଣ୍ଡନରେ ଜଣେ କ୍ୟାବ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେଠାରୁ ସେ ପ୍ରଥମେ ବାହାରିନ ଓ ପରେ ଦୁବାଇ ପଳାଇଆସିଥିଲେ । ଏହି ସମୟ ଭିତରେ ସେ ବ୍ୟବସାୟର ଏକ ବଡ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହି ବ୍ୟବସାୟ ସାମ୍ରାଜ୍ୟ ପ୍ରଥମରୁ ସମ୍ଭାଳୁଥିଲେ ପତ୍ନୀ ରେଣୁକା ।

ମିକି ଓ ରେଣୁକା ବାହାରିନରେ ଏକ ଖେଳନା ଦୋକାନରେ କାମ କରିବା ଆରମ୍ଭ କରିଥିଲେ । ଦୀର୍ଘ ୧୦ ବର୍ଷ ଧରି ସେ ଜଣେ ସଂପର୍କୀୟଙ୍କ ଖେଳନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ୧୦ ବର୍ଷ ମଧ୍ୟରେ ସେ ସଂଚୟ କରିଥିବା ଟଙ୍କାରେ ୬ଟି ଖେଳନା ଦୋକାନ ଖୋଲିଥିଲେ । ଏହାପରେ ସେମାନେ ଦୁବାଇ ପଳାଇଆସି ନିଜର ଲ୍ୟାଣ୍ଡମାର୍କ ଗ୍ରୁପ ଆରମ୍ଭ କରିଥିଲେ । ଏହାରି ଭିତରେ ରେଣୁକାଙ୍କ ସ୍ୱାମୀ ମିକିଙ୍କର ଦେହାନ୍ତ ହୋଇଯାଇଥିଲା ।

ଏହି ବ୍ୟବସାୟରେ ରେଣୁକା ଏତେ ଲାଭ କରିଥିଲେ ଯେ ୨୧ଟି ଦେଶରେ କମ୍ପାନୀର ୨୨ ଶହ ଷ୍ଟୋର ଖୋଲିସାରିଥିଲେ । ଦୁବାଇରେ ବିଶେଷ ଭାବେ ବ୍ୟବସାୟ କରୁଥିବା ରେଣୁ ଭାରତରେ ନିଜର ବ୍ୟବସାୟ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଫୋବର୍ସ ରିପୋର୍ଟ ମୁତାବକ ୧୯୯୯ ରେ ରେଣୁକା ଭାରତରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ଭାରତରେ ଲ୍ୟାଣ୍ଡମାର୍କ ଗ୍ରୁପର ୯୦୦ରୁ ଅଧିକ ଷ୍ଟୋର ରହିଛି । ଏହା ସହିତ ଲ୍ୟାଣ୍ଡମାର୍କ ଗ୍ରୁପର ହୋଟେଲ ବ୍ୟବସାୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।