ହମାସକୁ ନିପାତ କରି ଦମ ନେବୁ , ଇସ୍ରାଏଲ ସହ ଛିଡା ହୋଇଥିବାରୁ ଆମେରିକାକୁ ଧନ୍ୟବାଦ । ବାଇଡେନକୁ କିଛି ଏମିତି କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

146

କନକ ବ୍ୟୁରୋ : ହମାସ ବିପକ୍ଷ ଲଢେଇରେ ଆମେରିକା ଇସ୍ରାଏଲ ସହ ରହିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ କିଛି ଏଭଳି ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣରେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ଆମେରିକା ପାଇଁ ଦୁଃଖଦ ମୁହୂର୍ତ୍ତ । ହମାସ ଇସ୍ରାଏଲର ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରିଛି । ହମାସ ପାଲେଷ୍ଟାଇନର ପ୍ରତିନିଧିତ୍ୱ କରୁନାହିଁ ବୋଲି କହିଛନ୍ତି ବାଇଡେନ ।

ବାଇଡେନଙ୍କ ସହ ଆଲୋଚନା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ହମାସର ଆକ୍ରମଣ ବର୍ବରତାପୂର୍ଣ୍ଣ । ହମାସ ବିପକ୍ଷ ଲଢେଇରେ ସାଥ ଦେଇଥିବାରୁ ଆମେରିକାକୁ ଧନ୍ୟବାଦ । ହମାସ ଛୋଟ ପିଲା, ମହିଳାଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛି । ଏମାନଙ୍କୁ ନିପାତ କରି ହିଁ ଆମେ ଦମ ନେବୁ ବୋଲି କହିଛନ୍ତି ନେତାନ୍ୟାହୁ ।

ଅନ୍ୟପଟେ ଗାଜା ହସ୍ପିଟାଲରେ ହୋଇଥିବା ବିସ୍ଫୋରଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହା ଅତି ଗମ୍ଭୀର ବିଷୟ ବୋଲି କହିଛନ୍ତି । ଏ ବିସ୍ଫୋରଣ ପଛରେ ଯିଏ ଦୋଷୀ ତାକୁ ଛଡାଯିବା ଉଚିତ ନୁହେଁ ବୋଲି କହିଛନ୍ତି ମୋଦୀ ।

ଗତକାଲି ଗାଜାର ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । କେନ୍ଦ୍ରୀୟ ଗାଜାର ଅଲ-ଅହଲି ହସ୍ପିଟାଲରେ ଆକ୍ରମଣ କରାଯାଇଥିଲା । ଏଥିରେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ୍ ଦ୍ୱାରା ଆକ୍ରମଣକୁ କରାଯାଇଥିବା ହମାସ ଦାବି କରିଛି । ହେଲେ ହମାସର ଦାବିକୁ ଭିତିହୀନ ବୋଲି କହିଛି ଇସ୍ରାଏଲ ସେନା । ହସ୍ପିଟାଲ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଥିବା ନେଇ କୌଣସି ପ୍ରମାଣ ନାହିଁ । ଇସ୍ରାଏଲକୁ ବଦନାମ କରିବା ପାଇଁ ହମାସ ଏଭଳି ଅଭିଯୋଗ ଆଣିଛି ବୋଲି କହିଛି ଇସ୍ରାଏଲ ।