ବାଂଲାଦେଶ ହାତରୁ ମ୍ୟାଚ ଛଡାଇଆଣିଲେ ଅଶ୍ୱିନୀ, ମୀରପୁର ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ

217

କନକ ବ୍ୟୁରୋ: ବାଂଲାଦେଶ ବିରୋଧରେ ଭାରତ ମୀରପୁର ଟେଷ୍ଟରେ ୩ ୱିକେଟରେ ବିଜୟୀ ହୋଇଛି । ରବିବାର ଭାରତ ଏହି ମ୍ୟାଚ ସହ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜରେ ବିଜୟୀ ହୋଇଛି । ଗୋଟିଏ ସମୟ ଏହିଭଳି ଥିଲା ଯେତେବଳେ ଭାରତ ହାତରୁ ମ୍ୟାଚ ଏକପ୍ରକାର ଖସିଯାଉଥିଲା । ଭାରତ ଉପରେ ପରାଜୟର ବିପଦ ଘନେଇଥିଲା । ତେବେ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବିଜୟ ହାସଲ କରିନେଇଥିଲା ।

ବାଂଲାଦେଶ ଭାରତକୁ ୧୪୫ ରନର ଲକ୍ଷ୍ୟ ଦେଇଥିଲା । ତେବେ ଶନିବାର ଭାରତ ୪୫ ରନରେ ୪ଟି ୱିକେଟ ହରାଇଥିଲା । ଚତୁର୍ଥ ଦିନରେ ହାତ ଆଉ ୬ଟି ୱିକେଟ ଥାଇ ୧୦୦ ରନ ଆବଶ୍ୟକ କରୁଥିଲା । ଏହା ପରେ ମଧ୍ୟ ଭାରତର ସ୍ଥିତି ସଙ୍ଗୀନ ରହିଥିଲା । ଦଳ ୭୪ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଏହି ସମୟରେ ଦଳ ପାଇଁ ମଙ୍ଗ ଧରିଥିଲେ ଶ୍ରେୟସ ଆୟାର ଏବଂ ରବିଚନ୍ଦ୍ରନ ଅଶ୍ୱିନ । ଅଶ୍ୱିନ ୬୨ ବଲରେ ୪୨ ରନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ୭୧ ରନର ଭାଗିଦାରୀ ହୋଇଥିଲା । ଏହାରି ବଳରେ ଭାରତ ଦମଦାର ବିଜୟ ହାସଲ କରିଛି ।