ଗୋଟିଏ ଝଟକାରେ ବଦଳିଲା ଭାଗ୍ୟ। ଡ୍ରାଇଭରରୁ ୩୩ କୋଟିର ମାଲିକ ହୋଇଗଲେ ଭାରତୀୟ ବଂଶୋଦ୍ଭବ।

1,840

କନକ ବ୍ୟୁରୋ: କୁହାଯାଏ ଭାଗ୍ୟ ବଦଳିବାକୁ ମାତ୍ର ଗୋଟିଏ ମୁହୂର୍ତ୍ତ ଦରକାର । ଆଉ କିଛି ଏଭଳି ଘଟିଛି ଭାରତୀୟ ବଂଶୋଦ୍ଭବ ଡ୍ରାଇଭର ଅଜୟ ଓଗୁଲାଙ୍କ ସହ । ଦୁବାଇରେ ରହୁଥିବା ୩୧ ବର୍ଷୀୟ ଅଜୟ ରାତାରାତି କୋଟିପତି ହୋଇଯାଇଛନ୍ତି । ସେ ଏମିରେଟ୍ସ ଲକି ଡ୍ରରେ ୩୩ କୋଟିର ପୁରସ୍କାର ଜିତିଛନ୍ତି ।

ଏତେ ଟଙ୍କା ଜିତିବା ପରେ ଅଜୟ କହିଛନ୍ତି, ମୋତ ଏବେ ମଧ୍ୟ ବିଶ୍ୱାସ ହେଉନାହିଁ ମୁଁ ଜ୍ୟାକପଟ ଜିତିଯାଇଛି । ସେ କହିଛନ୍ତି ଏହି ଟଙ୍କାରେ ମୁଁ ଗୋଟିଏ ଅନାଥ ଆଶ୍ରମ କରିବି । ଏହା କରିବା ଦ୍ୱାରା ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିପାରିବ ।

ମୂଳତଃ ଦକ୍ଷିଣ ଭାରତରୁ ଆସୁଥିବା ଅଜୟ ଓଗୁଲା ୪ ବର୍ଷ ପୂର୍ବରୁ ଚାକିରୀ ଅନ୍ୱେଷଣରେ ୟୁଏଇ ଯାଇଥିଲେ । ବର୍ତ୍ତମାନ ଅଜୟ ଏକ ଜ୍ୱେଲେରୀ ଫାର୍ମରେ ଡ୍ରାଇଭର ଭାବେ କାମକରୁଛନ୍ତି । ସେ ପ୍ରତ୍ୟେକ ମାସରେ ୩ ହଜାର ୨ ଶହ ଦିରାମ ଅର୍ଥାତ ୭୨ ହଜାର ଟଙ୍କା ରୋଜଗାର କରୁଛନ୍ତି । ତେବେ ସେ ବର୍ତ୍ତମାନ ଜ୍ୟାକପଟ ଜିତି କୋଟି ପତି ହୋଇଯାଇଛନ୍ତି ।

ଅଜୟ କହିଛନ୍ତି ଯେତେବେଳେ ମୁଁ ଭାରତରେ ଥିବା ପରିବାରକୁ କୋଟିପତି ହେବାର ଖବର ଦେଇଥିଲି ସେତେବେଳେ ମୋ ମାଆ, ଭାଇ, ଭଉଣୀ ବିଶ୍ୱାସ କରିପାରିନଥିଲେ । ତେବେ ପରେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ତାଙ୍କୁ ବିଶ୍ୱାସ ହୋଇଯାଇଥିଲା ।

ପ୍ରଥମେ ଅଜୟ ଲଟେରୀ ଟିକଟ କିଣିଥିଲେ । ସେ ଏହାକୁ ଡ୍ର କରିଥିଲେ । ତେବେ ତାଙ୍କୁ ବିଶ୍ୱାସ ହୋଇନଥିଲା ଯେ ସେ ଏହି ଲଟେରୀ ଜିତିଯାଇଛନ୍ତି । ତାଙ୍କୁ ପୁରସ୍କାର ଭାବେ ୧୫ ମିଲିୟନ ଦିରାମ ବା ୩୩ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ଲଟେରୀ ଭାବେ ମିଳିଛି । ଏହା ଶୁଣିବା ପରେ ସେ ବିଶ୍ୱାସ କରିପାରିନଥିଲେ । ଜଣେ ଡ୍ରାଇଭରରୁ ସେ କୋଟିପତି ହୋଇପାରିଛନ୍ତି ।