‘କିଙ୍ଗସ୍ ୱେ’ରୁ ‘ରାଜପଥ‘, ‘ରାଜପଥ‘ରୁ ‘କର୍ତ୍ତବ୍ୟପଥ‘ । ପଢନ୍ତୁ, ଦିଲ୍ଲୀ ରାଜପଥର ଇତିହାସ । କେମିତି ବଦଳେ ଗୋଟିଏ ସଡକର ନାମ?

96

କନକ ବ୍ୟୁରୋ: ପୁଣିଥରେ ବଦଳିବାକୁ ଯାଉଛି ରାଜପଥର ନାଁ । କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଥିବା ରାଜପଥର ନାଁ ବଦଳାଇବାକୁ ଯାଉଛନ୍ତି । ଯାହାର ନୂଆ ନାଁ ଏବେ କର୍ତ୍ତବ୍ୟପଥ ହେବାକୁ ଯାଉଛି । ତେବେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଥିବା ରାସ୍ତାକୁ ହିଁ ରାଜପଥ କୁହାଯାଏ, ଯାହାର ଲମ୍ବ ହେଉଛି ପ୍ରାୟ ୩ କିଲୋମିଟର । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ହିଁ ଏହି ରାଜପଥରେ ପ୍ୟାରେଡ୍ ଦେଖିବାକୁ ମିଳିଥାଏ ।

ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ଶେଷ ହେଇଛି । ଯାହାକୁ କି ସେପ୍ଟେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ । ତେବେ ଜାଣି ରଖିବା ଉଚିତ୍ ଯେ, ଏହି ରାଜପଥର ନାଁ ୩ୟ ଥର ପାଇଁ ବଦଳିବାକୁ ଯାଉଛି । ବ୍ରିଟିଶ ଶାସନ ସମୟରେ ଏହା ‘କିଙ୍ଗସ୍ ୱେ’ ନାମରେ ପରିଚିତ ଥିଲା । ତେବେ ଦେଶ ସ୍ୱାଧୀନ ହେବା ପରେ ଏହାର ନାମ ପରିବର୍ତ୍ତନ କରି ଏହାକୁ ରାଜପଥ କୁହାଯାଇଥିଲା । ତେବେ ଏବେ ପୁଣିଥରେ ଏହି ରାଜପଥର ନାଁ ବଦଳି କର୍ତ୍ତବ୍ୟପଥ ହେବାକୁ ଯାଉଛି ।

ରାଜପଥର କଣ ରହିଛି ଇତିହାସ?

-୧୯୧୧ ମସିହାରେ ଇଂରେଜମାନେ ନିଜର ରାଜଧାନୀକୁ ଦିଲ୍ଲୀ ସ୍ଥାନାନ୍ତର କରିଥିଲେ, ସେତେବଳେ ନୂଆ ରାଜଧାନୀର ଡିଜାଇନ୍ ପ୍ରସ୍ତୁତ କରିଥିଲେ ଏନୱିନ୍ ଲୁଟିୟନ୍ସ । ତେବେ ୧୯୨୦ ମସିହାରେ ରାଜପଥ ତିଆରି ହେଇଥିଲା । ଯାହାକୁ କି ସେତେବେଳେ ରାଜାଙ୍କ ରାସ୍ତା ବୋଲି କୁହାଯାଉଥିଲା ।

-୧୯୦୫ ମସିହାରେ ଲଣ୍ଡନରେ ଜର୍ଜ ପଞ୍ଚମଙ୍କ ପିତାଙ୍କ ସମ୍ମାନ ନିମନ୍ତେ ଏକ ସଡକ ତିଆରି କରାଯାଇଥିଲା । ଏହାକୁ ସେତେବେଳେ କିଙ୍ଗସ୍ ୱେ କୁହାଯାଇଥିଲା । ସେହି ଅନୁସାରେ ଦିଲ୍ଲୀରେ ତିଆରି କରାଯାଇଥିବା ଏହି ସଡକର ନାଁ ମଧ୍ୟ କିଙ୍ଗସ୍ ୱେ ରଖାଯାଇଥିଲା । ଜର୍ଜ ପଞ୍ଚମ ଯେତେବେଳେ ୧୯୧୧ ମସିହାରେ ଦିଲ୍ଲୀ ଆସିଥିଲେ, ସେତେବେଳେ ଏହି ନୂଆ ରାଜଧାନୀର ନାଁ ଘୋଷଣା ହେଇଥିଲା ।

– ସ୍ୱାଧୀନତା ପରେ ଏହି ସଡକର ନାମ ପରିବର୍ତ୍ତନ କରି ରାଜପଥ ରଖାଯାଇଥିଲା । ଯାହାକି କିଙ୍ଗସ୍ ୱେର ହିନ୍ଦୀ ଅନୁବାଦ ଅଟେ । ତେବେ ସ୍ୱାଧୀନତାର ୭୫ ବର୍ଷ ପରେ ଏହି ସଡକର ନାଁ ପୁଣିଥରେ ବଦଳିବାକୁ ଯାଉଛି । ଯାହାକି ଆଗାମୀ ଦିନରେ କର୍ତ୍ତବ୍ୟପଥ ନାମରେ ପରିଚିତ ହେବ ।କେମିତି ବଦଳେ ରାସ୍ତାର ନାମ?

– କୌଣସି ସହର, ଗାଁ, ସଡକ କିମ୍ବା ଜାଗାର ନାମ ବଦଳାଇବାକୁ ହେଲେ ଗୃହ ମନ୍ତ୍ରାଳୟର ଗାଇଡଲାଇନ୍ ପାଳନ କରିବାକୁ ହୁଏ । ଯାହାକୁ କି ୧୯୭୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ଜାରି କରାଯାଇଥିଲା । ସମସ୍ତ ରାଜ୍ୟ ସରକାର ମଧ୍ୟ ଏହି ଗାଇଡଲାଇନକୁ ପାଳିବାକୁ ବାଧ୍ୟ ।

– କୌଣସି ସଡକ କିମ୍ବା ଜାଗାର ନାମ ବଦଳାଇବାକୁ ହେଲେ, ସେଠାକାର ସ୍ଥାନୀୟ ବାସିନ୍ଧାଙ୍କ ଭାବନାକୁ ଧ୍ୟାନରେ ରଖିବାକୁ କୁହାଯାଇଛି । ଏହା ସହିତ ନୂଆ ନାମ ହେବା ଦ୍ୱାରା ଯେଭଳି କୌଣସି ଭ୍ରମ ସୃଷ୍ଟି ହେବନି, ସେଥିପ୍ରତି ମଧ୍ୟ ଦୃଷ୍ଟି ରଖିବାକୁ ପଡେ ।

– ଗୃହ ମନ୍ତ୍ରାଳୟର ଗାଇଡଲାଇନ୍ ମୁତାବକ, ଯଦି କୌଣସି ଜାଗା କିମ୍ବା ସଡକର ଅତ୍ୟନ୍ତ ପୁରୁଣା, ତେବେ ଏହାର ନାମ ବଦଳାଇବା ଉଚିତ୍ ନୁହେଁ । ତେବେ କୌଣସି ନୂଆ ସଡକ କିମ୍ବା ଜାଗାର ନାମ ବଦଳାଇବାରେ କୌଣସି ଅସୁବିଧା ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

କେମିତି ବଦଳିବ ରାଜପଥର ନାମ?

– କୌଣସି ଜାଗା କିମ୍ବା ସଡକର ନାମ ରଖିବା କିମ୍ବା ଏହାକୁ ବଦଳେଇବା କାମ ନଗର ନିଗମ କିମ୍ବା ନଗର ପାଳିକା ବୁଝିଥାଏ । ତେବେ ଏହାକୁ ମଞ୍ଜୁରୀ କେବଳ କେନ୍ଦ୍ର ସରକାର ହିଁ ଦେଇଥାନ୍ତି । ତେବେ ରାଜପଥର ନାମ ବଦଳେଇବା କାମ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ଅଧୀନରେ ଆସୁଛି ।

– ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ରାଜପଥର ନାମ ବଦଳାଇବା ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାକୁ ସେପ୍ଟେମ୍ବର ୭ ତାରିଖରେ ମିଟିଂ ଡକାଇଛି ।

– ରାଜପଥର ନାଁ ବଦଳାଇବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ତରଫରୁ ହିଁ ଆସିଛି । ଯାହାକୁ କି ୧୩ ସଦସ୍ୟ ବିଶିଷ୍ଟ କମିଟି ବିଚାର କରିବ । ତେବେ ଯଦି ଏହି ପ୍ରସ୍ତାବ ପାସ୍ ହେଇଯାଏ, ତେବେ ଏହାକୁ ଦିଲ୍ଲୀ ସରକାରଙ୍କ ସହର ବିକାଶ ବିଭାଗ ପାଖକୁ ପଠାଯିବ, ଯେଉଁଠି ସଡକର ନାମକୁ ନେଇ ବିଚାର ବିମର୍ଶ ହେବ ।

– ସେଠାରେ ପ୍ରସ୍ତାବ ପାରିତ ହେବା ପରେ, ଏନଡିଏମସି ଏହାକୁ ନେଇ ଏକ ପୋଷ୍ଟ ମାଷ୍ଟର ଜେନେରାଲଙ୍କୁ ଏକ ଚିଠି ଲେଖିବ,ଯେଉଁଥିରେ ନାମ ବଦଳେଇବା କଥା ଉଲ୍ଲେଖ କରାଯିବ ।

ଦିଲ୍ଲୀରେ ବଦଳିଛି ଆଉ କେଉଁ ନାମ?

– ଏହା ପୂୂର୍ବରୁ ମଧ୍ୟ ଦିଲ୍ଲୀରେ ଅନେକ ସ୍ଥାନ ଆଉ ସଡକର ନାମ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତା ପୂର୍ବରୁ କିଙ୍ଗସ୍ ୱେ ଥିବା ରାସ୍ତା ସ୍ୱାଧୀନତା ପରେ ରାଜପଥରେ ପରିଣତ ହୋଇଥିଲା । ସେହିପରି କ୍ୱିନ୍ ୱେକୁ ଜନପଥରେ ପରିବର୍ତ୍ତନ କରିଦିଆଯାଇଥିଲା ।

– ସେହିଭଳି କର୍ଜନ ରୋଡକୁ କସ୍ତୁରବା ଗାନ୍ଧୀ ମାର୍ଗ, ରେଟେଣ୍ଡନ୍ ରୋଡକୁ ଅମୃତ ସେରଗିଲ୍ ମାର୍ଗ ଓ କିଚନର ରୋଡକୁ ସର୍ଦାର ପଟେଲ ମାର୍ଗରେ ପରିବର୍ତ୍ତନ କରାଯାଇଥିଲା ।

– ୨୦୧୪ରେ ମୋଦୀ ସରକାର ଆସିବା ପରେ ରେସ୍ କୋର୍ସ ରୋଡର ନାମ ପରିବର୍ତ୍ତନ କରି ଏହାକୁ ଲୋକ କଲ୍ୟାଣ ମାର୍ଗ କରିଦିଆଯାଇଥିଲା । ଯେଉଁଠି କି ପ୍ରଧାନମନ୍ତ୍ରୀଙ୍କ ଆବାସ ରହିଛି । ସେହିଭଳି ୨୦୧୫ରେ ଔରଙ୍ଗଜେବ ରୋଡକୁ ଏପିଜେ ଅବଦୁଲ କଲାମ ରୋଡରେ ପରିବର୍ତ୍ତନ କରିଦିଆଯାଇଥିଲା ।

– ୨୦୧୭ ମସିହାରେ ଡଲହୌହୀ ରୋଡର ନାମ ପରିବର୍ତ୍ତନ କରି ଦିଆଯାଇତିଲା । ୨୦୧୮ରେ ତିନି ମୂର୍ତ୍ତି ଚୌକର ନାମ ପରିବର୍ତ୍ତନ କରାଯାଇଥିଲା । ତେବେ ଏହାପରେ ଆକବର ରୋଡର ମଧ୍ୟ ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି ହେଲେ, ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବିଚାର ବିମର୍ଶ ହୋଇନାହିଁ ।