ସରୁନି ରାଜସ୍ଥାନ ସିଏମ ସସପେନ୍ସ: ବିଜେପିକୁ ବସୁନ୍ଧରା ଅଡୁଆ!

631

କନକ ବ୍ୟୁରୋ: ନିର୍ବାଚନ ଫଳାଫଳକୁ ୯ଦିନ ହେଲାଣି । ବିଜେପି ବହୁମତ ସହ ରାଜସ୍ଥାନ ନିର୍ବାଚନ ମଧ୍ୟ ଜିତିଛି । ତଥାପି କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଛିଣ୍ଡୁନି ଅଙ୍କ । ସେପଟେ ଦଳୀୟ କନ୍ଦଳ ଚର୍ଚ୍ଚା ଭିତରେ ବିଜେପିର ଅଡୁଆ ବଢ଼ାଇଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ସୂଚନା ଅନୁସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବସୁନ୍ଧରା ଅନୁରୋଧ କରି ଗୋଟେ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛନ୍ତି । ସେପଟେ ବିଧାୟକଙ୍କ ସହ ଘନଘନ ବୈଠକ କରୁଥିବାରୁ ବସୁନ୍ଧରାଙ୍କ ଉପରେ ବିଜେପି ଅସନ୍ତୁଷ୍ଟ ଥିବା ଖବର ମଧ୍ୟ ଉଠୁଛି ।

ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳକୁ ୧୦ଦିନ ବିତିଲାଣି । ବହୁମତ ସହ ବିଜେପି ବଡ ବିଜୟ ହାସଲ କରି କଂଗ୍ରେସକୁ କ୍ଷମତାଚ୍ୟୁତ କରିଛି । ତଥାପି ରାଜ୍ୟରେ ଦଳ କାହାକୁ କରିବ ମୁଖ୍ୟମନ୍ତ୍ରୀ ସେନେଇ ଛିଣ୍ଡିପାରୁନି ଅଙ୍କକଷା । ଦଳୀୟ କନ୍ଦଳ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଅନ୍ୟତମ ହାଇପ୍ରୋଫାଇଲ ଚେହେରା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ନେଇ ସରଗରମ ରାଜସ୍ଥାନ ରାଜନୀତି । କୁହାଯାଉଛି ବସୁନ୍ଧରା ମୁଖ୍ୟମନ୍ତ୍ରୀ ହେବାକୁ ଅଡି ବସିଛନ୍ତି । ଦଳ ଉପରେ ଚାପ ପକାଉଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗୋଟେ ବର୍ଷ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରୁଛନ୍ତି । ରବିବାର ନିଜ ବାସଭବନରେ ବିଧାୟକଙ୍କ ସହ ବୈଠକ କରି ଦଳକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି । ବିଧାୟକ ଦଳ ବୈଠକ ପୂର୍ବରୁ ବାସଭବନରେ ବିଧାୟକଙ୍କ ମେଳି ବସୁନ୍ଧରାଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛି ।

ରାଜନୀତି ବିଶେଷଜ୍ଞଙ୍କ ମତରେ ବସୁନ୍ଧରାଙ୍କ ଏଭଳି ଆଭିମୁଖ୍ୟ ବିଜେପି ହାଇକମାଣ୍ଡଙ୍କୁ ଅସନ୍ତୁଷ୍ଟ କରିଛି । ଯଦି ଆବଶ୍ୟକ ପଡେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିପାରେ ଦଳ ।ମୁଖ୍ୟମନ୍ତ୍ରୀ ରେସରେ ଜଣଙ୍କ ପରେ ଜଣଙ୍କ ନାଁ ଯୋଡା ହେଉଛି । ସେପଟେ କିଛି ଚେହେରା ମଧ୍ୟ ବାଦ ପଡୁଛନ୍ତି । କିନ୍ତୁ ବସୁନ୍ଧରା ନିଜ ଜିଦରେ ଅଟଳ ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦ ବ୍ୟତିତ ଅନ୍ୟ କୌଣସି ଦାୟିତ୍ୱ ନେବେନି ବୋଲି ସଂକେତ ମଧ୍ୟ ଦେଇ ସାରିଛନ୍ତି । ରାଜସ୍ଥାନରେ ବସୁୁନ୍ଧରାଙ୍କ ଦବଦବା ବେଶ ଅଧିକ ରହିଛି । ଅଭିଜ୍ଞତା ସହ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ନିର୍ବାଚନ ଫଳ ବାହାରିବା ପରେ ବସନ୍ଧୁରାଙ୍କ ଘରେ ବିଧାୟକଙ୍କ ଭିଡ ଓ ଉତ୍ସବ ବି ଦେଖିବାକୁ ମିଳିଥିଲା । ହଠାତ ଦିଲ୍ଲୀରେ ପହଁଚି ହାଇକମାଣ୍ଡଙ୍କ ସହ ବୈଠକ କରିଥିଲେ । ସେପଟେ ରବିବାର ମଧ୍ୟ ବାସଭବନରେ ବୈଠକ କରିବା ଘଟଣା ବସନ୍ଧୁରାଙ୍କୁ ଅଡୁଆରେ ପକାଇପାରେ ।

କୁହାଯାଉଛି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପରେ ଦଳୀୟ କନ୍ଦଳ ସମ୍ଭାବନା ରହିଛି । ତେଣୁ ରବିବାର ବୈଠକ ମଙ୍ଗଳବାରକୁ ଘୁଂଚାଯାଇଛି । ସେପଟେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତ ୩ଜଣ ପର୍ଯ୍ୟବେକ୍ଷକ ଜୟପୁରରେ ପହଁଚିବେ । ରାଜସ୍ଥାନ ପାଇଁ ବିଜେପି ଭାବିଚିନ୍ତି ନିଷ୍ପତି ନେବ ।

ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅଶ୍ୱିନୀ ବୈଷ୍ଣବ, କରୋଡି ଲାଲା ମୀଣା, ଅର୍ଜୁନ ରାମ ମେଘୱାଲ, ଦୀୟା କୁମାରୀଙ୍କ ସହ ଅନେକ ପୁରୁଖା ଓ ନୂଆ ଚେହେରା ରହିଛନ୍ତି