ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: କେମିତି ଥିଲା ସାଏଙ୍କ ସଂଘର୍ଷ?

190

କନକ ବ୍ୟୁରୋ: ଛତିଶଗଡ଼ର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ତେବେ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ସାଏଙ୍କ ରାଜନୀତି ଜୀବନ ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ସବୁଠୁ ବଡ କଥା ହେଉଛି ନିଜ ସାଧାସିଧା ସ୍ୱଭାବ ଓ ନିର୍ବିବାଦୀୟ ଚରିତ୍ର ପାଇଁ ବିଜେପି ହାଇକମାଣ୍ଡଙ୍କ ଧ୍ୟାନ ଆକର୍ଷଣ କରିଥିଲେ । କେମିତି ଜଣେ ସରଂପଚରୁ ସାଏ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଦେଖିବା ଏହି ରିପୋର୍ଟରେ ।

ଛତିଶଗଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ସବୁ ସସପେନ୍ସକୁ ପଛରେ ପକାଇ ଶେଷରେ ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି ବିଜେପି । ଯଦିଓ ମୁଖ୍ୟମନ୍ତ୍ରୀ ରେସରେ ଅନେକ ପୁରୁଖା ନେତା ଥିଲେ ତଥାପି ବାଜି ମାରିଛନ୍ତି ବିଷ୍ଣୁଦେଓ ସାଏ । ଚର୍ଚ୍ଚା ହେଉଥିଲା ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରାନଯାଏ ତେବେ ତାଙ୍କର ଜଣେ ନିକଟତର ଲୋକଙ୍କୁ ମିଳିପାରେ ମୌକା । କୁହଯାଇଛି ରମଣ ସିଂ ବିଷ୍ଣୁଦେଓଙ୍କ ନାଁ ସୁପାରିଶ କରିଥିଲେ ।

ସରପଂଚରୁ ମୁଖ୍ୟମନ୍ତ୍ରୀ
-ବିଷ୍ଣୁଦେଓଙ୍କ ସାଏଙ୍କ ନିକଟରେ ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ରହିଛି
-୪ଥର ସାଂସଦ, ୩ଥର ବିଧାୟକ, ୩ଥର ଛତିଶଗଡର ପ୍ରଦେଶ ଅଧ୍ୟକ୍ଷ, କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ସାରିଛନ୍ତି ।
-ଚଳିତ ନିର୍ବାଚନରେ ସାଏଙ୍କ ନେତୃତ୍ୱରେ କଂଗ୍ରେସକୁ ଚକମା ଦେଇଛି ବିଜେପି
-ଆଦିବାସୀ ଗଢ଼ ବସ୍ତର ୮ ଓ ସରଗୁଜରାର ସମସ୍ତ ୧୪ ଆସନ କବଜା କରିଥିଲା ଦଳ
-ପୂର୍ବରୁ ସରଗୁଜାର ସମସ୍ତ ଆସନ କଂଗ୍ରେସ ପାଖରେ ଥିଲା
-ବିଜେପି ଏତେ ସଂଖ୍ୟକ ଆଦିବାସୀ ଆସନ ଜିତିବା ପ୍ରଥମ ଘଟଣା

ବିଷ୍ଣୁଦେଓଙ୍କ ସରଳ, ଶାନ୍ତ ସ୍ୱଭାବ ଏବଂ ନିର୍ବିବାଦୀୟ ଆଚରଣ ହାଇକମାଣ୍ଡଙ୍କ ଧ୍ୟାନ ଆକର୍ଷଣ କରି ଆସୁଥିଲା । ଏପରିକି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସେ ଜଣେ ପସନ୍ଦର ନେତା ଥିଲେ । ଦେଓଙ୍କ ପାଇଁ ପ୍ରଚାର କରି ତାଙ୍କୁ ଜିତାଇବାକୁ କହିଥିଲେ ଶାହା ଓ ତାଙ୍କ ବଡ ଲୋକ କରାଯିବ ବୋଲି କହିଥିଲୋ । ଏଥିସହ ଆରଏସଏସ ମଧ୍ୟ ଦେଓଙ୍କ ନାଁରେ ମୋହର ମାରିଥିଲା ।

ସରଳ ଆଦିବାସୀ ନେତା ଭାବମୂର୍ତି ଯୋଗୁଁ ସାଏଙ୍କୁ ବଡ ସଫଳତା ମିଳିଥିବା କୁହାଯାଉଛି । ତେବେ ସରପଂଚରୁ ମୁଖ୍ୟମନ୍ତ୍ରୀ ଯାତ୍ରା ଯେତିକ ରୋଚକପୂର୍ଣ୍ଣ ରହିଥିଲା ସେତିକି ସଂଘର୍ଷପୂର୍ଣ୍ଣ ମଧ୍ୟ ରହିଥିଲା ।

-୧୯୬୪ ମସିହା ଛତିଶଗଡ଼ ଜଶପୁରର ଏକ ଆଦିବାସୀ ଚାଷୀ ପରିବାରରେ ସାଏଙ୍କ ଜନ୍ମ
-୨୫ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ
-ପିଲାଦିନରୁ ଦେଓ ଓ ତାଙ୍କ ପରିବାର ଆରଏସଏସ ସହ ଜଡିତ ଅଛନ୍ତି
-୧୯୮୯ରେ ବାଗିଆର ସରପଂଚ ହୋଇଥିଲେ
-ପରେ ୪ଥର ସାଂସଦ, ୩ଥର ବିଧାୟକ, ୩ଥର ଛତିଶଗଡର ପ୍ରଦେଶ ଅଧ୍ୟକ୍ଷ ସହ -କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ କମାଣ ସମ୍ଭାଳି ସାରିଛନ୍ତି ।
-ବିଷ୍ଣୁଦେଓଙ୍କ ଜେଜେବାପା ଓ ବାପା ମଧ୍ୟ ବିଧାୟକ ଥିଲେ

ନିର୍ମଳ ଭାବମୂତି ପାଇଁ ଆଜିର ଦିନରେ ସରପଂଚରୁ ମୁଖ୍ୟମନ୍ତ୍ରୀ ବନିପାଇଛନ୍ତି ବିଷ୍ଣୁଦେଓ ସାଏ । ରାଜନୀତି ପ୍ରତି ତାଙ୍କର ଯେତିକି ରୁଚି ରହିଛି ସେତିକି ଦୁର୍ବଳତା ବ୍ୟାଡମିଂଟନ ଓ ଫୁଟବଲ ଖେଳ ପ୍ରତି ମଧ୍ୟ ରହିଛି । ଡିସେମ୍ବର ୧୩ ତାରିଖରେ ଛତିଶଗଡ଼ର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେଓ ସାଏ ।