ଇତିହାସ ପାଲଟିିଲା ଧାରା ୩୭୦ । ୪ବର୍ଷ, ୪ମାସ ୬ ଦିନ ପରେ ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ରାୟକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ

700

କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା-୩୭୦ । ୪ ବର୍ଷ ୪ ମାସ ୬ ଦିନ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଧାରା-୩୭୦ ଉଚ୍ଛେଦ ବୈଧ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରାଯାଇଛି । ତେବେ ଆସନ୍ତୁ ନଜର ପକାଇ ଘାଟିରେ ଧାରା ୩୭୦ ଇତିହାସ କ’ଣ ରହିଛି ?

ଘାଟିରେ ‘୩୭୦’ର ଇତିହାସ

  • ୧୯୪୭, ଅକ୍ଟୋବର ୨୬ରେ ଭାରତ ସହ ଯୋଡ଼ି ହୋଇଥିଲା ଜାମ୍ମୁ-କାଶ୍ମୀର
  • ୧୯୪୯ରେ ଜମ୍ମୁ-କାଶ୍ମୀର ପାଇଁ ସମ୍ବିଧାନରେ ଯୋଡ଼ା ହୋଇଥିଲା ଧାରା ୩୭୦
  • ପ୍ରଥମରୁ ଏହାକୁ ବିରୋଧ କରିଥିଲେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକର
  • ଏହାକୁ ଦେଶଦ୍ରୋହ ସହ ସମାନ ବୋଲି କହିଥିଲେ ଆମ୍ବେଦକର
  • ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା
  • ଏହି ଧାରା ଅନୁଯାୟୀ ଭାରତର ସବୁ ଆଇନ ଜାମ୍ମୁ-କାଶ୍ମୀରରେ ଲାଗୁ ହେଉନଥିଲା

ଧାରା ୩୭୦ କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ଯୋଗାଯୋଗ କ୍ଷେତ୍ରରେ ଆଇନ ପ୍ରଣୟନ କରିପାରିବ ଭାରତ । ଅନ୍ୟ କ୍ଷେତ୍ରରେ କିଛି ଆଇନ ଲାଗୁ କରିବାକୁ ହେଲେ ଜାମ୍ମୁ କାଶ୍ମୀର ବିଧାନସଭାର ଅନୁମତି ନେବାକୁ ପଡିବ । ଜାମ୍ମୁ-କାଶ୍ମୀରର ବାସିନ୍ଦା ସ୍ୱତନ୍ତ୍ର ଅଧିକାର ପାଇବେ । ଜାମ୍ମୁ-କାଶ୍ମୀରର ସମ୍ପତ୍ତି ଓ ଜମିକୁ ଅନ୍ୟ ରାଜ୍ୟର ଲୋକେ କିଣି ପାରିବେ ନାହିଁ । କିନ୍ତୁ ଜାମ୍ମୁ-କାଶ୍ମୀରବାସୀ ଅନ୍ୟ ରାଜ୍ୟରେ ଜମି ଓ ସମ୍ପତ୍ତି କିଣିପାରିବେ । ଆର୍ଥିକ ବିପତ୍ତି ବେଳେ ଜାମ୍ମୁ ଓ କାଶ୍ମୀରରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ ନାହିଁ କେବଳ ବାହ୍ୟ ଆକ୍ରମଣ କିମ୍ବା ଯୁଦ୍ଧ ସମୟରେ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ । ତେବେ ଧାରା-୩୭୦ ଏକ ଅସ୍ଥାୟୀ ଅଧିକାର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଥିଲା

୨୦୧୯ ଅଗଷ୍ଟ୫ ତାରିଖରେ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଉଚ୍ଛେଦ ହୋଇଥିଲା । ଏହା ପରେ ଜମ୍ମୁକାଶ୍ମୀର ରାଜ୍ୟ ପରିବର୍ତେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା । ଯେଉଁଥିରେ ଲଦାଖରୁ ଜମ୍ମୁକାଶ୍ମୀର ଅଲଗା ହୋଇଥିଲା । କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାମ୍ମୁକାଶ୍ମୀରରେ ମଧ୍ୟ ଅନ୍ୟରାଜ୍ୟ ଭଳି ସମାନ ଆଇନ ବ୍ୟବସ୍ଥା ଲାଗୁ ହେବ ।