କାଳବୈଶାଖୀ ଆଣିଛି ସାମାନ୍ୟ ଆଶ୍ୱସ୍ତି । ଅପରାହ୍ଣରେ ହଠାତ୍ ବଦଳିଗଲା ପାଗ । ପବନ ସାଙ୍ଗକୁ କୁଆପଥର ବର୍ଷା

116

କନକ ବ୍ୟୁରୋ: ସକାଳୁ ତାତୁଥିବା ରାଜ୍ୟର କିଛି ସ୍ଥାନରେ ଅପରାହ୍ଣରେ ବଦଳିଗଲା ପାଗ । ହଠାତ୍ ଆକାଶରେ ମାଡିଆସିଲା ମେଘ । କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ସହ ପବନ ହୋଇଛି । ବର୍ଷା ଯୋଗୁଁ କିଛି ମାତ୍ରାରେ ଲୋକଙ୍କୁ ତାତିରୁ ଆଶ୍ୱସ୍ଥି ମିଳିଛି ।

  • ହଠାତ୍ ବଦଳିଗଲା ପାଗର ମିଜାଜ୍
  • ତତଲା ଭୂମିରେ ପଡ଼ିଲା, କୁଆପଥର ବର୍ଷା
  • ଭାଙ୍ଗିଲା ଟେଣ୍ଟ, ଘର ଉପରେ ପଡ଼ିଲା ଗଛ

ଆଠଗଡ଼ରେ କାଳବୈଶାଖୀ ବର୍ଷା । ହଠାତ୍ କୁଆପଥର ବର୍ଷା ସାଙ୍ଗକୁ ଜୋରରେ ବହିଲା ପବନ । ଆଠଗଡ଼ରେ ଶ୍ରମିକମାନଙ୍କ ସଭା ବେଳେ ବର୍ଷା ପବନ ହେବାରୁ ଟେଣ୍ଟ ଭାଙ୍ଗି ଯାଇଛି । ତେବେ ଅଳ୍ପକେ ବର୍ତି ଯାଇଛନ୍ତି ଆଠଗଡ଼ ବିଜେଡି ବିଧାନସଭା ପ୍ରାର୍ଥୀ ରାଜା ସ୍ୱାଇଁ । ସଭା ପାଇଁ ହୋଇଥିବା ଟେଣ୍ଟ ଭାଙ୍ଗି ରୁଜି ଯାଇଛି । ଏକ ଖେଳ ପଡ଼ିଆରେ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ବେଳେ ଏହି ଅଘଟଣ ଘଟିଛି । ଟେଣ୍ଟ ତଳେ ରାଜା ସ୍ୱାଇଁ ଭାଷଣ ଦେଉଥିବା ବେଳେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା । ଟେଣ୍ଟ ଭୁଷୁଡ଼ିବାର ମାତ୍ର ୫ ମିନିଟ ପୂର୍ବରୁ ସଭାରୁ ଚାଲିଯାଇଥିଲେ ରାଜା ସ୍ୱାଇଁ ।

  • ବାଙ୍କୀରେ ବର୍ଷିଲା
  • ପବନ ଘଡ଼ଘଡ଼ି ସହ କୁଆପଥର ବର୍ଷା

କୁଆପଥର ବର୍ଷା ସାଙ୍ଗକୁ ପବନ ଘଡ଼ଘଡ଼ିରେ ବାଙ୍କୀରେ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ରାସ୍ତାରେ ଗଛ ପଡ଼ିବାରୁ ବାଙ୍କୀରୁ ଖୋର୍ଦ୍ଧାରୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ସେହିପରି ବାଙ୍କୀ କଳାପଥର ରାସ୍ତାରେ ମଧ୍ୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହାସହ କିଆପଲ୍ଲା ଗାଁର ଜଣେ ବ୍ୟକ୍ତିଙ୍କ ଘର ଉପରେ ଗଛ ପଡ଼ିବାରୁ ଏକ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।

ପ୍ରବଳ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ୱର, କଟକ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ଢେଙ୍କାନାଳକୁ ସତର୍କତା ଜାରି କରିଥିଲା । ଏହାସହ ବିଜୁଳି ଓ ଘଡ଼ଘଡ଼ିରୁ ବର୍ତିବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।