କାଳବୈଶାଖୀର ପ୍ରଭାବ । ଭାଙ୍ଗିଲା ରାଜା ସ୍ୱାଇଁଙ୍କ ସଭାର ଟେଣ୍ଟ, ବାଙ୍କୀରେ ଉପୁଡିପଡିଲା ବଡ ବଡ ଗଛ

515

କନକ ବ୍ୟୁରୋ : ଆଠଗଡ଼ରେ କାଳବୈଶାଖୀ ବର୍ଷା । କୁଆପଥର ବର୍ଷା ସାଙ୍ଗକୁ ଜୋରରେ ବହିଲା ପବନ । ଆଠଗଡ଼ରେ ଶ୍ରମିକ ମାନଙ୍କ ସଭାରେ ମାଡ଼ିଆସିଲା କାଳବେଶାଖୀ ବର୍ଷା । ଅଳ୍ପକେ ବର୍ତିଗଲେ ଆଠଗଡ଼ ବିଜେଡି ବିଧାନସଭା ପ୍ରାର୍ଥୀ ରାଜା ସ୍ୱାଇଁ । ସଭା ପାଇଁ ହୋଇଥିବା ଟେଂଟ ଭାଙ୍ଗି ରୁଜି ପଡ଼ିଛି । ଆଠଗଡ଼ ଟାଟା ଷ୍ଟିଲ ସମ୍ମୁଖରେ ଥିବା ଖେଳ ପଡ଼ିଆରେ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ପକ୍ଷରୁ ଆନ୍ତର୍ଜାତୀ ଶ୍ରମିକ ଦିବସ ପାଳନ ବେଳେ ଏହି ଅଘଟଣ ଘଟିଛି । ଟେଂଟ ତଳେ ରାଜା ସ୍ୱାଇଁ ଭାଷଣ ଦେଉଥିବା ବେଳେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା । ଟେଂଟ ଭୁଷୁଡ଼ିବାର ମାତ୍ର ୫ମିନିଟ ପୂର୍ବରୁ ସଭାରୁ ଚାଲିଯାଇଥିଲେ ରାଜା ସ୍ୱାଇଁ ।

ସେହିଭଳି ବାଙ୍କୀରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ କୁଆ ପଥର ବର୍ଷା ସାଙ୍ଗକୁ ପବନ ଘଡ଼ଘଡ଼ିରେ ଭାଙ୍ଗିଲା ବଡ଼ ବଡ଼ ଗଛ । ରାସ୍ତାରେ ଗଛ ପଡ଼ିବାରୁ ବାଙ୍କୀରୁ ଖୋର୍ଦ୍ଧାରୁ ସଂଯୋଗ କରୁଥିବା ରାସ୍ତାରେ ଠପ ହୋଇପଡ଼ିଛି ଯାତାୟତ । ସେହିପରି ବାଙ୍କୀ କଳାପଥର ରାସ୍ତାରେ ମଧ୍ୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହାସହ କିଆପଲ୍ଲା ଗାଁର ଜଣେ ବ୍ୟକ୍ତିଙ୍କ ଘର ଉପରେ ଗଛ ପଡ଼ିବାରୁ ଏକ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।