କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବର୍ଷା । ରାସ୍ତାରେ ଲହଡି ମାରିଲା ଆଣ୍ଠୁଏ ଉଚ୍ଚର ପାଣି

86

କନକ ବ୍ୟୁରୋ : କାଳବୈଶାଖୀ ବର୍ଷା ପରେ ବର୍ଷା ଦିନ ଭଳି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଜମି ରହିଥିଲା ପାଣି । ଏ ହେଉଛି ଏସପ୍ଲାନଡେ ସପିଂ ମଲ ସମ୍ମୁଖରୁ ବମିଖାଲ ପର୍ଯ୍ୟନ୍ତ ରାସ୍ତାର ଗତ ରାତିର ଦୃଶ୍ୟ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ବର୍ଷା ପାଣି ସହ ଡ୍ରେନ୍ ପାଣି ବି ମିଶି ଯାଇଛି । ଜଳାଶୟର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ଏହି ରାସ୍ତା । ଦୀର୍ଘ ସମୟ ଧରି ଜମି ରହିଥିଲା ପାଣି । ରାସ୍ତାରେ ପାଣି ଜମି ରହିବାରୁ ସେହି ବାଟ ଦେଇ ରସୁଲଗଡ ଆଡକୁ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ବିଶେଷକରି ବାଇକ, ସାଇକେଲରେ ଆସୁଥିବା ଲୋକ , ଚାଲି ଚାଲି ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିଛି ଉପାୟ ନପାଇ ସେହି ନର୍ଦମା ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଥିଲେ । ପ୍ରଶ୍ନ ଉଠୁଛି କାଳବୈଶାଖୀ ବର୍ଷାରେ ଯଦି ରାଜଧାନୀର ଅବସ୍ଥା ଏମିତି ଆଗକୁ ବର୍ଷା ଋତୁରେ କଣ ହେବ । ମହାନଗର ନିଗମ କର୍ତୁପକ୍ଷ ଏବେଠାରୁ ସଜାଗ ହୋଇ ପଦକ୍ଷେପ ନନେଲେ, ବର୍ଷା ଦିନରେ ରାଜଧାନୀରେ ଜଳ ନିଷ୍କାସନ ଏକ ବିରାଟ ସମସ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି ।