ଅରବିନ୍ଦ କେଜ୍ରିୱାଲଙ୍କ ଅର୍ଥତତ୍ତ୍ୱ । କହିଲେ, ଟଙ୍କାରେ ରହୁ ଗଣେଶ, ଲକ୍ଷ୍ମୀଙ୍କ ଚିତ୍ର । ବଢ଼ିବ ଟଙ୍କାର ମୂଲ୍ୟ, ସୁଧୁରିବ ଅର୍ଥନୀତି । 

136

କନକ ବ୍ୟୁରୋ: ଡଲାର ତୁଳନାରେ ଲଗାତର ଭାବେ ଖସି ଚାଲିଛିି ଟଙ୍କାର ମୂଲ୍ୟ । ବିଶ୍ୱ ବଜାରରେ ଅଧିକାଂଶ କାରବାର ଆମେରିକୀୟ ଡଲାରରେ ହେଉଥିବାବେଳେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ବିଶେଷକରି ଭାରତ ଏକ ଆମଦାନିକାରୀ ଦେଶ ହୋଇଥିବାରୁ ଟଙ୍କାର ଅବମୂଲ୍ୟାୟନ ଚିନ୍ତଜନକ ହୋଇଛି । ଏତିକି ବେଳେ ଏକ ନୂଆ ଚାଲ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେମିତି ଟଙ୍କା ଭଲ ପ୍ରଦର୍ଶନ କରିବ ଓ ଟଙ୍କାର ମୂଲ୍ୟ ଉପରକୁ ଉଠିବ ସେନେଇ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ ।

  • ଅରବିନ୍ଦ କେଜ୍ରିୱାଲଙ୍କ ଅର୍ଥତତ୍ତ୍ୱ
  • ‘ଟଙ୍କାରେ ରହୁ ଗଣେଶ, ଲକ୍ଷ୍ମୀଙ୍କ ଚିତ୍ର’
  • ‘ବଢ଼ିବ ଟଙ୍କାର ମୂଲ୍ୟ, ସୁଧୁରିବ ଅର୍ଥନୀତି’

ଡଲାର ତୁଳନାରେ ଅବମୂଲ୍ୟାୟନ ଜାରି ରହିଥିବାବେଳେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି । କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ଫଟୋ ସହ ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ଫଟୋ ରହୁ । ଏହାଦ୍ୱାରା ଭାରତୀୟ ଟଙ୍କାର ମୂଲ୍ୟରେ ସୁଧାର ଆସିବ । ଯାହା ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।  ଟଙ୍କାରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବାକୁ ପ୍ରସ୍ତାବ ଦେବା ପଛରେ ଯୁକ୍ତି ଦର୍ଶାଇଛନ୍ତି କେଜ୍ରିୱାଲ । କହିଛନ୍ତି, ଯେତେ ପରିଶ୍ରମ କଲେ ମଧ୍ୟ ଦେବାଦେବୀଙ୍କ ଆଶୀର୍ବାଦ ନମିଳିଲେ ଜଣେ ଭଲ ପ୍ରଦର୍ଶନ କରିପାରବ ନାହିଁ । ତେଣୁ, ଟଙ୍କା ବା ନୋଟ ଉପରେ ଧନଦେବୀ ଲକ୍ଷ୍ମୀ ଓ ବିଘ୍ନ ନାଶକ ଗଣେଶଙ୍କ ଫଟୋ ରଖିଲେ ଭାରତୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇବ ।

କେଜ୍ରିୱାଲଙ୍କ ଭଳି ଜଣେ ବିଜ୍ଞବ୍ୟକ୍ତିଙ୍କ ଏହି ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରିନି ବିଜେପି । ବିଜେପି ନେତା କହିଛନ୍ତି, ଆପ୍ ମୁଖିଆଙ୍କ ମତିଭ୍ରମ ହୋଇଛି । ଆଗକୁ ଗୁଜୁରାଟ ନିର୍ବାଚନ ଥିବାରୁ ହିନ୍ଦୁତ୍ୱକାର୍ଡ ଖେଳି ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି କେଜ୍ରିୱାଲ ।

ରାମ ମନ୍ଦିର ଓ ହିନ୍ଦୁତ୍ୱକୁ ନେଇ ବିଜେପି ରାଜନୈତିକ ଗୋଟି ଚାଳନା କରି ଆସୁଛି । ଆଗକୁ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ମଧ୍ୟ ହିନ୍ଦୁତ୍ୱ କାର୍ଡ ଖେଳିବାକୁ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ଏଭଳି ସ୍ଥିତିରେ ବିଜେପିକୁ କାଉଁଟର କରିବାକୁ ଓ ହିନ୍ଦୁ ଭୋଟ ଧ୍ରୁବିକରଣକୁ ରୋକିବା ପାଇଁ କେଜ୍ରିୱାଲ ଏହି ଚାଲ ଖେଳି ଥାଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।