ସମାପ୍ତ ହେବ ପଞ୍ଜାବ କଂଗ୍ରେସର କନ୍ଦଳ ! ସିଦ୍ଧୁଙ୍କ ସହ ମିଶି କାମ କରିବାକୁ ପ୍ରସ୍ତୁତ ଅଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି

122

କନକ ବ୍ୟୁରୋ: ଚଳିତ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଦଳର ଭିତିରି କନ୍ଦଳ ସମାପ୍ତ ହେବ ବୋଲି ଆଶା କରାଯାଉଛି । ଶନିବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି କହିଛନ୍ତି କି ସେ ପଞ୍ଜାବ ରାଜ୍ୟ ଅଧ୍ୟକ୍ଷ ନବଜ୍ୟୋତସିଂ ସିଦ୍ଧୁଙ୍କ ସଳ ମିଳିତ ଭାବେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହାସହ ସେ କହିଛନ୍ତି କି କଂଗ୍ରେସ ଦଳ ପାଇଁ ସେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଏଭଳି ବୟାନ ଚନ୍ନି ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ପୃଷ୍ଟଭୂମିରୁ ଆସିଛି । କହିରଖୁ କି ସିଦ୍ଧୁ ବାରମ୍ବାର ନିଜ ସରକାର ବିରୋଧରେ ସମାଲୋଚନା କରିଆସୁଛନ୍ତି ।

ପଞ୍ଜାବ ସରକାରଙ୍କ ବିରୋଧରେ ସିଦ୍ଧୁ ଦେଉଥିବା ବୟାନକୁ ନେଇ ଚନ୍ନି କହିଛନ୍ତି କି ସିଦ୍ଧୁ କଂଗ୍ରେସ ପାର୍ଟିର ଜଣେ ସଚ୍ଚା ସିପାହୀ  ଓ ପୂରା ସଚ୍ଚୋଟତାର ସହ ସେ ଦଳ ପାଇଁ କାମ କରୁଛନ୍ତି । ତେଣୁ ତାଙ୍କ ସହ ମିଳିତ ଭାବେ କାମ କରିବାରେ କିଛି ଅସୁବିଧା ନାହିଁ ବୋଲି ଚନ୍ନି ସ୍ପଷ୍ଟ କରିଦେଇଛନ୍ତି ।

କହିରଖୁ କି କିଛିଦିନ ହେବ ସିଦ୍ଧୁ ବାରମ୍ବାର ପଞ୍ଜାବ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ସେପଟେ ଗତବର୍ଷ  ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହାସହ ସିଦ୍ଧୁଙ୍କୁ ସନ୍ତୋଷ୍ଟ କରିବାକୁ ଦଳ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କ ନାମ ଘୋଷଣା କରିଥିଲା । ହେଲେ ଏବେ ସିଦ୍ଧୁ ଜିଦଧରିଛନ୍ତି କି, ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରୁ ।