ସିଡିଏସ ହେଲିକପ୍ଟର ଦୁର୍ଘଟଣା : ଶେଷ ହେଲା ଭାରତୀୟ ବାୟୁସେନାର କୋର୍ଟ ଅଫ ଇନକ୍ୱାରୀ, ଜାଣନ୍ତୁ କେମିତି ହୋଇଥିଲା ଦୁର୍ଘଟଣା 

1,447

କନକ ବ୍ୟୁରୋ : ଦେଶର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତଙ୍କ ହେଲିକପ୍ଟର ଆଇ-୧୭ ବି ୫ ଦୁର୍ଘଟଣାକୁ ନେଇ ବାୟୁସେନାର କୋର୍ଟ ଅଫ୍ ଇନକ୍ୱାରୀ ଶେଷ ହୋଇଛି । ଦୁର୍ଘଟଣାର କାରଣ ନେଇ ଏପର୍ଯ୍ୟନ୍ତ ଅଧିକାରୀ ସ୍ତରରେ କିଛି ବୟାନ ଜାରି କରାଯାଇ ନଥିବା ବେଳେ ସୂତ୍ର ସୂଚନା ମୁତାବକ ଖରାପ ପାଗ ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଉଛି । କୁହାଯାଉଛି କି ଏୟାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ହୋଇଥିବା ଯାଂଚରେ ଖରାପ ପାଗ ଯୋଗୁଁ ପାଇଲଟଙ୍କ ଧ୍ୟାନ ବିପଥଗାମୀ ହୋଇଯାଇଥିଲା ଓ ଦୁର୍ଘଟଣା ଘଟିଥିଲା ।

ଟେକନିକ ଆଧାରରେ କୁହାଗଲେ ଏଭଳି ଦୁର୍ଘଟଣା ସେତେବେଳେ ଘଟିଥାଏ ଯେତେବେଳେ ପାଇଲଟ୍  ବିଭ୍ରାନ୍ତ ହୋଇ ସ୍ଥିତି ଉପରେ ଅନୁମାନ ନଲଗାଇ ପାରେ ।  ଏଭଳି ଦୁର୍ଘଟଣା ବିଶେଷ ଭାବେ ଖରାପ ପାଗ ବେଳେ ଦେଖିବାକୁ ମିଳିଥାଏ । ଯେତେବେଳେ ପାଇଲଟ ହେଲିକପ୍ଟରକୁ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରେ ସେତେବେଳେ ପାଇଲଟଙ୍କୁ ହେଲିକପ୍ଟକୁ କଣ୍ଟ୍ରୋଲ କରିବା ବଡ ମୁସ୍କିଲ ହୋଇପଡିଥାଏ ।

ଅନ୍ୟପଟେ ଇନକ୍ୱାରୀ ଟିମ୍ ଏଭଳି ସମ୍ଭାବନାକୁ ଖାରଜ କରିଛି କି ହେଲିକପ୍ଟରରେ କୌଣସି ଟେକ୍ନିକାଲ ଅସୁବିଧା ଥିଲା । ଏହାସହ ଯାଂଚ ଟିମ୍ ନିଜ ରିପୋର୍ଟକୁ ଆହୁରି ମଜବୁତ କରିବାକୁ ବାୟୁସେନାର ଲିଗାଲ ଡିପାର୍ଟମେଣ୍ଟର ପରାମର୍ଶ ନେଉଛି । ଆଶା କରାଯାଉଛି କି ୪/୫ ଦିନ ମଧ୍ୟରେ ଏହି ରିପୋର୍ଟକୁ ବାୟୁସେନା ପ୍ରମୁଖ ଏୟାର ଚିଫ୍ ମାର୍ଶଲ ବିଆର ଚୌଧୁରୀଙ୍କୁ ଦିଆଯିବ ।