ମାର୍ଚ୍ଚରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ : ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦିଆଗଲାଣି ଟିକା

78

କନକ ବ୍ୟୁରୋ : ମାର୍ଚ୍ଚରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ସାରା ଦେଶରେ ଏବେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଆମ ରାଜ୍ୟରେ ଗତକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ ଅର୍ଥାତ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ମାର୍ଚ୍ଚ ମାସର ଯେକୌଣସି ସପ୍ତାହରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ନେଇ ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ।

ଏହି ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ସାଧାରଣ ନାଗରିକଙ୍କୁ ଟିକା ଦିଆଯିବ । ଏହାଛଡା ୫୦ ବର୍ଷରୁ କମ୍ ବୟସର ବ୍ୟକ୍ତି ଯଦି ଏକାଧିକ ରୋଗରେ ପୀଡିତ ଥିବେ ତେବେ ତାଙ୍କୁ ମଧ୍ୟ ଏହି ପର୍ଯ୍ୟାୟରେ ଅଗ୍ରାଧିକାର ଭିତିରେ ଟିକା ଦିଆଯିବ । ସେହିପରି ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବ୍ୟକ୍ତିଙ୍କୁ ଆଗାମୀ ୧୩ ତାରିଖରୁ ଦ୍ୱିତୀୟ ଡୋଜ୍ ଟିକା ଦେବା ଆରମ୍ଭ ହେବ । ଦେଶରେ ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ମେଗା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇ ସାରିଲାଣି । ଏଥିସହ ଦେଶରେ ଏବେ ଆହୁରି ୭ଟି ଟିକା ଉପରେ କାମ ଚାଲିଛି । ୩ଟି ଟିକାର ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଡକ୍ଟର ହର୍ଷବର୍ଦ୍ଧନ ।