ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜନୀତି: ପିନାକୀ-ବିଜୟ ମୁହାଁମୁହିଁ । ପୁରୀ ସାଂସଦ କହିଲେ, କେହି ରୋକିପାରିବେନି କାମ ।

173

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ କେହି ଅଟକାଇ ପାରିବେ ନାହିଁ । ଏମିତି ଦମ୍ଭୋକ୍ତି ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ମାମଲା ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅଛି ଓ କାମ ଉପରେ କୈାଣସି ପ୍ରତିବନ୍ଧକ କରାଯାଇ ନାହିଁ ବୋଲି କହିଛନ୍ତି ପିନାକୀ । ତେବେ ଐତିହ୍ୟ କରିଡରକୁ ନେଇ ରାଜନୈତିକ ଯାତ୍ରା ଚାଲିଥିବା ପ୍ରସଙ୍ଗରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ଜିପିଆର ସର୍ଭେ କରାଯାଇଥିବା ବୋଲି କହିଥିଲେ ସାଂସଦ ପିନାକୀ ମିଶ୍ର । କିନ୍ତୁ ପରେ ରାତି ଅଧରେ ଓବିସିସି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣା ପଡିବା ପରେ ବିଜେପି ତାଙ୍କୁ ଟାର୍ଗେଟ କରିଥିଲା । ଏହି ପ୍ରସଙ୍ଗରେ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପିନାକୀଙ୍କୁ ଘେରିବା ପରେ ଜିପିଆର ସର୍ଭେ ଦ୍ୱିତୀୟ ଥର ପାଇଁ ନକରିବାକୁ ନିୟମ ଅଛି କି ବୋଲି ପ୍ରଶ୍ନ କରି ଟୁଇଟ କରିଥିଲେ । ଆଉ ଏବେ ସାଂସଦ ଘଟଣାସ୍ଥଳକୁ ନ ଆସି ଓ ଆଲୋଚନା ନକରି ମନ୍ତବ୍ୟ ଦେଉଥିବା କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଏହାସହ ବିବାଦକୁ ନେଇ ଉଭୟ ଏଏସଆଇ ଓ ଏନଏମଏକୁ କାଠଗଡାକୁ ଟାଣିଛନ୍ତି ବିଜୟ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୈତିକ ବିବାଦ ଜାରି ରହିଥିବା ବେଳେ କିନ୍ତୁ ଐତିହ୍ୟର ଦାୟିତ୍ୱରେ ଥିବା ଦୁଇ ଏଜେନ୍ସି ଏଏସଆଇ ଓ ଏନଏମଏର ଆଭିମୁଖ୍ୟ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରୁନି । କୋର୍ଟରେ ମାମଲା ବିଚାରଧୀନ ଥାଇ ମଧ୍ୟ ବୟାନବାଜି ଜାରି ରହିଛି ।