ରାଜଧାନୀରେ ଧଳାଜହର ବେପାରର ନୂଆ ତରିକା: ନକଲି ପୁଲିସ ଓ ଡାକ୍ତର ବେଶରେ ବୁଲୁଛନ୍ତି ନିଶା ବେପାରୀ

78

କନକ ବ୍ୟୁରୋ: ନିଶା ବେପାର କରନ୍ତି, ହେଲେ ବୁଲନ୍ତି ପୋଲିସ୍ ଠାଣିରେ । କେତେବେଳେ ଏମ୍ସର ଡାକ୍ତର ବୋଲି ପରିଚୟ ଦିଅନ୍ତି । ପୁଣି ଖାକି ପିନ୍ଧି ନିଜକୁ ଆଇଆଇସି ପରିଚୟ ଦେଇ ବୁଲେଟ ଚଢ଼ି ନିଶା ବେପାରରେ ମାତନ୍ତି । ରାଜଧାନୀରେ ଦୀର୍ଘଦିନ ଧରି ନିଶା କାରବାରର ସର୍ଦ୍ଦାର ସାଜିଥିବା ଏହି ଦୁଇ ମାଷ୍ଟରମାଇଣ୍ଡଙ୍କ ଚେହେରାକୁ ଟିକିଏ ଭଲ କରି ମନେ ରଖନ୍ତୁ । ଜଣେ ହେଉଛି ପଶ୍ଚିମବଂଗର କପିଲଦେବ ମଜୁମଦାର ଏବଂ ଅନ୍ୟ ଜଣେ ଖୋର୍ଦ୍ଧା ଜଙ୍କିଆ ଅଂଚଳର ରଶ୍ମିରଂଜନ ଭୋଳ ।

ଆପଣ ଜାଣି ତାଜୁବ ହେବେ ଏମାନଙ୍କ ନିକଟରୁ କୋଟିଏ ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ତେବେ ଅଭିଯୁକ୍ତମାନେ ବାଂଲାଦେଶରୁ ପଶ୍ଚିମବଂଗ ଦେଇ ଭୁବନେଶ୍ୱରକୁ ବ୍ରାଉନସୁଗାର ଆଣିଥିବା ତଦନ୍ତ ବେଳେ ଜଣାପଡ଼ିଛି । ଭୁବନେଶ୍ୱର ଭଳି ରାଜ୍ୟର ଅନ୍ୟ କେଉଁ ସହରରେ ଏହି ନିଶାର ଜାଲ ବିଛାଇଛନ୍ତି, ତାର ସତ ଜାଣିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ଏସଟିଏଫ ।

୨୦୨୦ରୁ ବର୍ତମାନ ସୁଦ୍ଧା ୫୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର, ହିରୋଇନ, କୋକେନ, ଗଞ୍ଜେଇ, ଅଫିମ ଆଦି ଜବତ ହୋଇଥିବା ବେଳେ ପାଖାପାଖି ଦେଢ଼ଶହ ନିଶା ବେପାରୀ ଓ ଦଲାଲଙ୍କୁ ବାନ୍ଧିଛି ଏସଟିଏଫ ।