ବିକାଶ ନାଁରେ ଚାଲିଛି ବେଧଡକ ଗଛ କଟା: ବିଧାୟକଙ୍କ ବାସଭବନ କରିବାକୁ ୫ମିନିଟରେ ବଳି ପଡିଲା ଶହ ଶହ ଗଛ

315

କନକ ବ୍ୟୁରୋ: ମାତ୍ର ୫ ମିନିଟରେ ମାଟିରେ ମିଶୁଛି ୫୦ ବର୍ଷର ଗଛ । କଟ୍ଟର ଓ କୁରାଡି ମାଡରେ ଗଳିପଡୁଛି ଶହ ଶହ ଗଛ । ଗଛ ଲଗାଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ଗଛ ଲଗାଇବା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । କିନ୍ତୁ ରାଜଧାନୀର ଛାତି ଉପରେ ଦିନ ଦ୍ୱିପ୍ରହରରେ କଟା ଚାଲିଛି ଶହ ଶହ ଗଛ । ଗଛ କଟା ହେଲା ପରେ ବିଧାୟକଙ୍କ ପାଇଁ ତିଆରି ହେବ ବଡ ବଡ ଅଟ୍ଟାଳିକା । ଗଛ କାଟି ସଫା କରିବାକୁ ଖୋଦ ଜଙ୍ଗଲ ବିଭାଗ କର୍ମଚାରୀମାନେ ଲାଗି ପଡିଛନ୍ତି । ୟୁନିଟ୍ -୪ରେ ଥିବା ଏମଏଲଏ ପାର୍କରେ ବର୍ଷ ବର୍ଷ ଧରି ଛିଡା ହୋଇଥି ବହୁ ମୂଲ୍ୟବାନ ବୃକ୍ଷ । ପୂରା ଅଂଚଳ ସବୁଜ ବଳୟରେ ଭରି ରହିଥିଲା । କିଛି ବର, ଅଶ୍ୱତଥ , ଆମ୍ବ ଗଛ ପୁରୁଣା ହୋଇ ମହାଦ୍ରୁମରେ ପାଲଟି ଯାଇଥିଲା । ଆଉ ଏବେ ବିକାଶ ନାଁ ବଳି ପଡୁଛି ଗଛ ।

ଦିନକୁ ଦିନ ପରିବେଶ ସନ୍ତୁଳନ ବିଗିଡିଗଲାଣି । ଆଉ ତାତିରେ ଯେତେବେଳେ ରାଜଧାନୀ ଜଳୁଛି, ସେତେବେଳେ ରାଜ୍ୟ ସରକାରଙ୍କ ଏଭଳି ଗଛ କାଟିବାର ଅଭିଯାନ ଚଳାଇଛନ୍ତି । ଫନି ବାତ୍ୟା ସମୟରେ ଏଠାରେ ପ୍ରାୟ ହଜାରେ ଗଛ ଉପୁଡି ପଡିଥିଲା । ବାକି ଗଛ ବାତ୍ୟାକୁ ସହି ମୁଣ୍ଡ ଟେକି ଛିଡା ହୋଇଥିଲା । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ବାତ୍ୟା ସିନା ହାର ମାନିଥିଲା, କିନ୍ତୁ ସରକାରୀ ଷଡଯନ୍ତ୍ର ଆଗରେ ଏହି ମହାଦ୍ରୁମ ବର୍ତି ପାରିଲେନି ।

ସବୁଜିମା ଭରା ପରିବେଶରେ ଉଛୁଳୁଥିବା ଭୁବନେଶ୍ୱରର ୟୁନିଟ-୪ ଅଂଚଳ ଏବେ ଟାଙ୍ଗରା ହେବାକୁ ବସିଲାଣି । ବନ ବିଭାଗର ଏଭଳି କାମ ଗଣମାଧ୍ୟମରେ ଖବର ପାଲଟିଥିବାବେଳେ ଏଭଳି କାମକୁ କେହି ବିରୋଧ କରୁଥିବା ଦେଖିବାକୁ ମିଳିନି ।