ତିନି ସପ୍ତାହରେ ପାକିସ୍ତାନ ଦେବାଳିଆ! ଦେଶରେ ହାହାକାର ସ୍ଥିତି

194

କନକ ବ୍ୟୁରୋ: ଡିଫୋଲ୍ଡର ହେବାର ସୀମାରେ ଛିଡା ହୋଇଥିବା ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରରେ ପହଞ୍ଚିଛି । ଶୁକ୍ରବାର ପ୍ରକାଶିତ ଗୋଟିଏ ରିପୋର୍ଟ ଅନୁସାରେ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୫ଅରବ ଡଲାର ହୋଇଯାଇଛି । ଗତ ଆଠବର୍ଷରେ ଏହା ସବୁଠାରୁ କମ ସ୍ତରରେ ପହଞ୍ଚିସାରିଛି । ପାକିସ୍ତାନର ଶାହାବାଜ ସରିଫ ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରୟାସ ଜାରିରଖିବାକୁ ଚେଷ୍ଟା କରୁଥିଲେ ବି ମୁଦ୍ର ଭଣ୍ଡାରର ସ୍ଥିତି କମଜୋର ହେବାରେ ଲାଗିଛି ।

ପାକିସ୍ତାନର ବିଭିନ୍ନ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ବର ୩୦ର ଶେଷରେ ଷ୍ଟେଟବ୍ୟାଙ୍କ ଅଫ୍ ପାକିସ୍ତାନର ବିଦେଶୀ ମୁଦ୍ରା ପାଣ୍ଠି ଗତ ୮ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିଛି । ବର୍ତ୍ତମାନ ବିଦେଶୀ ପାଣ୍ଠି ୫.୫୭୬ ଅରବ ଡଲାରରେ ପହଞ୍ଚିଛି । ପାକିସ୍ତାନ ବର୍ତ୍ତମାନ ବିଦେଶୀ କରଜରେ ବୁଡିରହିଛି । ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ୨୪୫ ଅରବ ଡଲାର ବିଦେଶୀ ଋଣ ସୁଝିଥିବା ବେଳେ ଏହି କାରଣରୁ ବିଦେଶୀ ପାଣ୍ଠି ହ୍ରାସ ପାଇଛି ।

ଦେଶରେ ପିଏମଏଲଏନ ନେତୃତ୍ୱାଧୀନ ମିଳିତ ସରକାର ସାମ୍ନାରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଆର୍ଥିକ ସ୍ଥିତିକୁ ସୁଦୃଢ କରିବା । ବିଦେଶୀ ଋଣକୁ ପରିଶୋଧ କରିବା । ପାକିସ୍ତାନ ଚୀନ, ସାଉଦି ଅରବ, ୟୁଏଇ, ବିଶ୍ୱବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରା ବ୍ୟାଙ୍କରୁ ଋଣ ନେଇଛି । ବର୍ତ୍ତମାନ ଦେଶ ପାଖରେ ଏତେ ଟଙ୍କା ନାହିଁ ଯେ ସେ ବିଦେଶୀ ଋଣ ଭରଣା କରିପାରିବ ।

ପାକିସ୍ତାନ ଲଗାତର ପ୍ରୟାସ ଜାରିରଖିଛି ଯେ ଆଇଏମଏଫର ସାହାଯ୍ୟରେ ଆଗାମୀ କିସ୍ତିର ଟଙ୍କା କେଉଁଭଳି ହାସଲ କରିପାରିବ । ତେବେ ଏଥିପାଇଁ ସହମତି ହୋଇପାରୁନାହିଁ । ଶୁକ୍ରବାର ଖବର ଆସିଥିଲା ଯେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆଇଏମଏଫର ମୁଖ୍ୟ କ୍ରିଷ୍ଟଲିନା ଜର୍ଜିଆଙ୍କ ସହ ଫୋନରେ ଆଲୋଚନା କରିଥିଲେ । ସେ ଅନୁରୋଧ କରିଛନ୍ତି ଯେ ଆଗାମୀ କିସ୍ତିର ଟଙ୍କାକୁ ନେଇ ନୂଆ କର ଏବଂ ସର୍ତ୍ତ ଉପରେ ପୁନର୍ବିଚାର କରାଯାଉ । ଚାରି ଦିନ ପରେ ଶାହବାଜ ସରିଫ ବନ୍ୟା ପିଡୀତଙ୍କ ପାଇଁ ଜେନେଭା ସମ୍ମିଳନୀରେ ଆଇଏମଏଫ ମୁଖ୍ୟଙ୍କ ସହ ସାକ୍ଷାତ କରିବେ ।

ସେପଟେ ପାକିସ୍ତାନରେ ହ୍ରାସ ପାଉଥିବା ବିଦେଶୀ ମୁଦ୍ରା ଭଣ୍ଡାର କାରଣରୁ ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ଜାନୁଆରୀ ୨୦୨୨ରେ ୧୬.୬ ଅରବ ଡଲାର ଥିଲା । ଯାହା ବର୍ତ୍ତମାନ ହ୍ରାସ ପାଇ ୧୧ ଅରବ ଡଲାର ହ୍ରାସ ପରେ ୫.୫୭୬ ଅରବ ଡଲାରରେ ପହଞ୍ଚି ସାରିଛି । ପାକିସ୍ତାନ ଏତିକି ବିଦେଶୀ ମୁଦ୍ରାରେ କେବଳ ତିନି ସପ୍ତାହ ପାଇଁ ବିଦେଶୀରୁ ଆମଦାନୀ କରିପାରିବ । ପାକିସ୍ତାନ ମୁଦ୍ରା ତୁଳନାରେ ଆମେରିକା ଡଲାର ବେସ ଶକ୍ତ ହୋଇସାରିଛି । ଗୁରୁବାର ଏହା ୧୭ ପଇସା ବୃଦ୍ଧି ହୋଇ ୨୨୭.୧୨ ପାକିସ୍ତାନୀ ମୁଦ୍ରାରେ ବନ୍ଦ ହୋଇଛି ।