ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର କେସ୍: ଧର୍ମେନ୍ଦ୍ର ପ୍ରଧାନ କହିଲେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ କରାଯାଇଛି ହତ୍ୟା

158

କନକ ବ୍ୟୁରୋ: ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର କେଶ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢିବ ଅଡୁଆ । ଅଭିଯୋଗକାରୀ ସ୍ୱର୍ଗତ ରମାକାନ୍ତ ବରାଳଙ୍କ ସାନ ଭାଇ ରଞ୍ଜିତ ବରାଳ ପ୍ରୋଟେଷ୍ଟ ପିଟିସନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ଆସନ୍ତା ଜାନୁଆରୀ ୧୨ ତାରିଖ ଧାର୍ଯ୍ୟ କରାଯାଇଛି । ଗତ ଡିସେମ୍ବର ୯ ତାରିଖରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ମାହାଙ୍ଗା ଡବଲ ମର୍ଡର ମାମଲାର ଏତଲାକାରୀ ରମାକାନ୍ତ ବରାଳଙ୍କ ମୃତ୍ୟୁ ହୋଇଥିଲା । ରମାକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ରଞ୍ଜିତ ପ୍ରୋଟେଷ୍ଟ ପିଟସନ୍ ଦାଖଲ ପାଇଁ ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ଲୋଡିଥିଲେ ।

ଏବେ କୋର୍ଟ ପ୍ରୋଟେଷ୍ଟ ପିଟିସନ ଦାଖଲ ପାଇର୍ ଅନୁମତି ଦେଇଛନ୍ତି । ସୂଚନା ପ୍ରକାଶ ଯେ, ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାର ଚାର୍ଜସିଟ୍ରୁ ତତକାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ପୁଲିସ ହଟାଇ ଦେଇଥିଲା । ଯାହା ବିରୋଧରେ ୨୦୨୧ ଜାନୁଆରୀ ୩ ତାରିଖରେ ସାଲେପୁର ଜେଏମଏଫସି କୋର୍ଟରେ ଅଭିଯୋଗକାରୀ ରମାକାନ୍ତ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ । ଦାଖଲ ହୋଇଥିବା ଚୁଡାର୍ନ୍ତ ରିପୋର୍ଟରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା ଦଶାଯାଇଥିଲା । ଏହି ରିପୋର୍ଟକୁ ନେଇ କିଛି ଆପତି ଥିଲେ ଅବଗତ କରିବାକୁ ରମାକାନ୍ତ ବରାଳଙ୍କୁ କୋର୍ଟ ନୋଟିସ୍ କରିଥିଲେ । ହେଲେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାହାଙ୍ଗାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଉଭୟଙ୍କୁ ହତ୍ୟା କରାଯାଇଛି । ମୃତକଙ୍କୁ ନ୍ୟାୟ ମିଳିବ, ନ୍ୟାୟପାଳିକା ଉପରେ ବିଶ୍ୱାସ ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।