‘ଅପମାନିତ କରି ସୌଜନ୍ୟତା ଆଶା କରିବା ବେକାର, ଓଡ଼ିଶା ସରକାର ଯୁଦ୍ଧଂ ଦେହି ଡାକରା ଦେଲେ ଆମେ ପ୍ରସ୍ତୁତ । ବିଜେଡି ଉପରେ ବର୍ଷିଲେ ଜୟନାରାୟଣ ।

184

କନକ ବ୍ୟୁରୋ : ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଚଳାଚଳର ଉଦଘାଟନୀ ଉତ୍ସବ ଓ ଏହାର ବିଜ୍ଞାପନରେ ଫଟୋକୁ ନେଇ ତେଜିଛି ରାଜନୀତି । ଗତକାଲି ଏହି ପ୍ରସଙ୍ଗରେ ବିଜେଡିକୁ ବିଜେପି ଘେରିଥିବା ବେଳେ ଆଜି ବାହାରିଥିବା ଖବରକାଗଜ ବିଜ୍ଞାପନକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ହୃଦୟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଅଶୋକ । ଏପରିକି ଗତକାଲି ଉଦଘାଟନୀ ଉତ୍ସବ ବୈଠକରେ ତାଙ୍କୁ ମାଇକ୍ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଅଶୋକ । ତେବେ ଅଶୋକଙ୍କ ଏହି ବୟାନକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଜୟନାରାୟଣ କହିଛନ୍ତି, ବାରମ୍ବାର ଅପମାନିତ କରିବା ପରେ ସୌଜନ୍ୟତାର ଆଶା କରିବା ବୃଥା । ହକି ବିଶ୍ୱକପରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ କରି ନାହାଁନ୍ତି । ବିମାନ ଉଡାଣ କେନ୍ଦ୍ରର ଯୋଜନା, ସେଥିରେ ତାଙ୍କ ଫଟୋ ଆମେ ଦେବୁ ବୋଲି କାହିଁକି ଆଶା କରୁଛନ୍ତି । ବିଶାଳ ହୃଦୟ କାହାର କେତେ ଅଛି ଭାରତବାସୀ ଜାଣିଛନ୍ତି ଓଡିଶାବାସୀ ଜାଣିଛନ୍ତି । ନବୀନ ବାବୁଙ୍କ ସଂକୁଚିତ ମାନସିକତା ତାଙ୍କ ହକି ବିଶ୍ୱକପରୁ ଜଣାପଡୁଛି ।

ରାଉରକେଲାରେ ଯେଉଁ ଷ୍ଟାଡିୟମ ନିର୍ମିତ ହେଲା ନବୀନ ବାବୁ ଟଙ୍କାଟିଏ ଦେଇ ନାହାଁନ୍ତି, ତାହା ସୁନ୍ଦରଗଡ଼ବାସୀଙ୍କ ଟଙ୍କା । ଷ୍ଟାଡିୟମ ଉଦଘାଟନ ବେଳେ ବିଜେପି, କଂଗ୍ରେସ ବିଧାୟକଙ୍କୁ ଭିତରେ ପୁରେଇ ଦିଆଗଲା ନାହିଁ । ସବୁ କେନ୍ଦ୍ରୀୟ ଯୋଜନାରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଡକା ହେଉଛି, ଏମାନେ ଡ୍ରାମା କରୁଛନ୍ତି । ଓଡିଶା ସରକାର ଯୁଦ୍ଧଂ ଦେହି ଡାକରା ଦେଲେ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ।