ସବୁ ରାଜ୍ୟକୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ବଡ ପ୍ରୟାସ । ରେଳ ମାଧ୍ୟମରେ ପରିବହନ ହେବ ଅକ୍ସିଜେନ

134

କନକ ବ୍ୟୁରୋ : କରୋନା ସଂକଟ ବଳେ ଅକ୍ସିଜେନର ଅଭାବକୁ ତୁରନ୍ତ ପୁରଣ କରିବା ଓ ସବୁ ମେଡିକାଲକୁ ସହଜରେ ଅକ୍ସିଜେନ ଯୋଗାଇ ଦେବା ନେଇ କେନ୍ଦ୍ର ରେଳବାଇ ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇ ରେଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ ଯୋଗାଣ କରିବ । ଭାରତୀୟ ରେଳବାଇର ସର୍ବ ପ୍ରଥମ ‘ଅକ୍ସିଜେନ ଏକ୍ସପ୍ରେସ’ ଆଜି ସନ୍ଧ୍ୟାରୁ ଚଳାଚଳ କରିବ ବୋଲି ଆଶା କରାଯାଇଛି । ରେଳବାଇର ଏକ ‘ରୋଲ-ଅନ୍- ରେଲ୍-ଅଫ୍’ ବା (ଆରଓଆରଓ) ଟ୍ରେନ୍ ଦ୍ୱାରା ଅକ୍ସିଜେନ ଟ୍ରକ୍ କିମ୍ବା ଟ୍ୟାଙ୍କରକୁ ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ବୋଲି କେନ୍ଦ୍ରୀୟ ରେଳବାଇର ଅଧିକାରୀମାନେ କହିଛନ୍ତି । ଏହି ‘ଅକ୍ସିଜେନ୍ ଏକ୍ସପ୍ରେସ’ ମହାରାଷ୍ଟ୍ର ପାଲଘର ଜିଲ୍ଲା ଅନ୍ତର୍ଗତ ବୋଇସାର୍ ରେଳବାଇ ୟାର୍ଡରୁ ଚଳାଚଳ ଆରମ୍ଭ କରିବ ।

ସେଥିପାଇଁ ଆଜି ସକାଳେ କେନ୍ଦ୍ରୀୟ ରେଳବାଇର କାଲାମ୍ବୋଇ ରେଳବାଇ ୟାର୍ଡରେ ତରଳ ‘ଅକ୍ସିଜେନ୍‌’ ପରିବହନ ନିମନ୍ତେ ଖାଲି ଟ୍ୟାଙ୍କର୍‌ ବୋଝେଇ କରାଯାଉଥିଲା। ଏହି ଟ୍ରେନ୍‌ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ଇସ୍ପାତ କାରଖାନା ଅଭିମୁଖେ ଯାତ୍ରା ଆରମ୍ଭ କରିବ। ସେଠାରେ ଟ୍ୟାଙ୍କର୍‌ଗୁଡ଼ିକରେ ତରଳ ‘ଅକ୍ସିଜେନ୍‌’ ଭରାଯିବ। ତା’ପରେ ଉକ୍ତ ଟ୍ୟାଙ୍କର୍‌ଗୁଡ଼ିକୁ ଫ୍ରେଟ୍‌ ଓ୍ଵାଗନ୍‌ରେ ଲଦାଯାଇ ନଓ୍ଵି ମୁମ୍ବାଇର କାଲାମ୍ବୋଲିକୁ ଅଣାଯିବ।

ଏହି ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’ର ଅବାଧ ଗମନା ଗମନ ନିମନ୍ତେ ଏକ ‘ଗ୍ରିନ୍‌ କରିଡର୍‌’ ଯୋଗାଇ ଦିଆଯିବ। ଏହାପରେ ‘ଅକ୍ସିଜେନ୍‌’ ଭରା ଟ୍ୟାଙ୍କର୍‌ଗୁଡ଼ିକୁ ସଡ଼କ ପଥରେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳକୁ ପଠାଯିବ। ତରଳ ‘ଅକ୍ସଜେନ୍‌’ ପରିବହନ ପାଇଁ ରେଳବାଇ ବୋର୍ଡ ଅଧିକାରୀ ଏବଂ ରାଜ୍ୟ ପରିବହନ କମିସନର୍‌ଙ୍କ ମଧ୍ୟରେ ବୈଠକ ବସିଥିବା କଥା ଏକ ସରକାରୀ ବିବୃତିରୁ ଜଣାପଡ଼ିଛି।