ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । ଭୋପାଳ, ଇନ୍ଦୋର, ଗୁୱାଲିଅର ଓ ଜବଲପୁରରେ ନିର୍ମାଣ ହେବ ୨ ହଜାର ବେଡର ମେଡିକାଲ । ଗରିବଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ରାସନ

251

କନକ ବ୍ୟୁରୋ : କରୋନା କାଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବଡ ଘୋଷଣା କରିଛନ୍ତି । ରାଜ୍ୟର ୪ ଟି ବଡ ସହର (ଭୋପାଳ, ଇନ୍ଦୋର, ଜବଲପୁର ଓ ଗୁୱାଲିଅର) ରେ ୨୦୦୦ ବେଡ ବିଶିଷ୍ଟ ମେଡିକାଲ ନିର୍ମାଣ କରାଯିବା । ଏହି ମେଡିକାଲ ନିର୍ମାଣ ପାଇଁ ବେସରକାରୀ ସଂସ୍ଥା ମାନଙ୍କର ସାହାଯ୍ୟ ନିଆଯିବ । ଅନ୍ୟପଟେ ସରକାର ଗରିବ (ବିପିଏଲ କାର୍ଡଧାରୀ) ଲୋକମାନଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କ ସହ ବୈଠକ ପରେ ଏହା ଘୋଷଣା କରିଛନ୍ତି ।
କହିରଖୁ କି ମଧ୍ୟପ୍ରଦେଶରେ ବି କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୮୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୭୯ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଭୋପାଳରେ ରବିବାର ଦିନ ସବୁଠାରୁ ଅଧିକ ୧,୭୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଜବଲପୁରରେ ଜଣେ ସଂକ୍ରମିତଙ୍କୁ ବେଡ ପାଇବାକୁ ସର୍ବନିମ୍ନ ୪ ଘଂଟା ଅପେକ୍ଷା କରିବାକୁ ପଡୁଛି ବୋଲି କୁହାଯାଇଛି । କିଛି ସଂକ୍ରମିତ ବେଡ ନପାଇବା କାରଣରୁ ଆମ୍ବୁଲାନ୍ସ ଭିତରେ ମୃତ୍ୟୁବରଣ କରୁଥିବା ଭଳି କରୁଣ ଚିତ୍ର ଆସୁଛି ।
ଏଭଳି ସ୍ଥଳେ ମୁଖ୍ୟମନ୍ତ୍ରୀ କୋଭିଡ କଟକଣା ପାଳନ କରିବା ଓ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଯଥାସମ୍ଭବ ଘରେ ରହିବାକୁ ଅନୁରୋଧ କରିଛନ୍ତି  ।