ପୋଡମପେଟାରେ ସମୁଦ୍ର ଆଁରେ ଗାଁ। ଖବର ପ୍ରସାରଣ ପରେ ପହଁଚିଲା ଗଞ୍ଜାମ ପ୍ରଶାସନ।

63

କନକ ବ୍ୟୁରୋ: ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଥିବା ପୋଡମପେଟା ଗାଁରେ ପହଞ୍ଚିଛନ୍ତି ଗଞ୍ଜାମ ତହସିଲଦାର । ଗାଁ ଆଡକୁ ସମୁଦ୍ର ମାଡି ମାଡି ଆସୁଥିବା ଖବର ପ୍ରସାରଣ ପରେ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମୁଦ୍ରକୂଳ ଅଞ୍ଚଳ ବୁଲି ଦେଖିଛନ୍ତି । ସ୍ଥିତି ଅନୁଧ୍ୟାନ ପରେ କହିଛନ୍ତି, ଗାଁରେ ରହୁଥିବା ୬ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ଜାଗା ଚିହ୍ନଟ ହୋଇଛି । କୂଳ ଲଙ୍ଘଥିବା ସମୁଦ୍ରକୂଳ ନିକଟରେ ବାଉଁଶ ବାଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୂଳ ଲଙ୍ଘୁଥିବା ସ୍ଥାନକୁ ନଯିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

ପୋଡମପେଟା ଗାଁରେ ପୂର୍ବରୁ ପ୍ରାୟ ୪୦ରୁ ଅଧିକ ଘରେ ଲୋକ ରହୁଥିଲେ । ହେଲେ, ଗୋଟିଏ ପରେ ଗୋଟିଏ ପରିବାରର ଘର ସମୁଦ୍ରରେ ଧସିଯିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାରକୁ ୨କିଲୋମିଟର ଦୂର ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ଥାନାନ୍ତର ହୋଇଥିବା ଲୋକମାନେ ଏବେ ବି କେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ସାମନାକୁ ଆସିଛି । ରାସ୍ତାଘାଟ ଚିକଚାକ ଥିଲେ ବି ଏପର୍ଯ୍ୟନ୍ତ ପୂରଣ ହୋଇନି ସେମାନଙ୍କ ପାଣି, ବିଜୁଳି ଭଳି ମୌଳିକ ସମସ୍ୟା । ଆଉ ହରାଇଛନ୍ତି ଜୀବିକା । କେବଳ ପୋଡମପେଟା ନୁହେଁ, ନିକଟବର୍ତୀ ଆଜିପଲ୍ଲୀ ଗାଁର ସମୁଦ୍ରକୂଳ ମଧ୍ୟ କ୍ଷୟ ହେବାରେ ଲାଗିଛି । ଯାହା ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି ।