ମଧ୍ୟପ୍ରଦେଶରେ ବନ୍ଦ ହେଲା, ଓଡିଶାରେ ବି ବନ୍ଦ ହେଉ: ପଂଚାୟତ ନିର୍ବାଚନରେ ଏମପି ଫର୍ମୁଲା ଆପଣାଇବାକୁ ଓଡିଶା ବିଜେପିର ଦାବି

196

କନକ ବ୍ୟୁରୋ: ଧାର୍ଯ୍ୟ ସମୟରେ ଓଡିଶାରେ ପଂଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଁଚିଛି । ଏପିରିକି ଓବିସି ସଂରକ୍ଷଣକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ଜିଲ୍ଲା ପରିଷଦଙ୍କ ନୂଆ ତାଲିକା ଜାରି ହୋଇସାରିଛି । କିନ୍ତୁ ଏହାଦ୍ୱାରା ରାଜ୍ୟ ଜନସଂଖ୍ୟାର ଅଧାଭାଗ ଲୋକ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ କରି ଆସୁଛନ୍ତିି ବିରୋଧୀ । ସମାନ ବିବାଦକୁ ନେଇ କାଲି ମଧ୍ୟପ୍ରଦେଶରେ ନିର୍ବାଚନ ବାତିଲ ହେବା ପରେ , ଓଡିଶାରେ ସେହି ଫର୍ମୁଲା ଆପଣାଇବାକୁ ଦାବି କରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତିି ବିଜେପି ପ୍ରତିନିଧି ଦଳ ।

ଓବିସି ସଂରକ୍ଷଣକୁ ନେଇ ମଧ୍ୟପ୍ରଦେଶରେ ତ୍ରିସ୍ତରୀୟ ନିର୍ବାଚନ ବାତିଲ ହେବା ପରେ ଓଡିଶାରେ ସମାନ ଦାବି କରିଛି ବିଜେପି । ଓବିସି ବର୍ଗଙ୍କୁ ସଂରକ୍ଷଣ ନମିଳିବା ପର୍ଯ୍ୟନ୍ତ ନିର୍ବାଚନ ନକରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ଜଣାଇଛନ୍ତି ରାଜ୍ୟ ବିଜେପି ପ୍ରତିନିଧି ଦଳ । ରାଜ୍ୟପାଳଙ୍କୁ ମଧ୍ୟ ବିଜେପି ପ୍ରତିନିଧି ଦଳ ଭେଟି ସମାନ ଦାବି ଜଣାଇଛନ୍ତି ।

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ନରଖିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ମଧ୍ୟପ୍ରଦେଶ ସରକାର ନିର୍ବାଚନ ବାତିଲ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ । ରାଜ୍ୟପାଳ ମଧ୍ୟ କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁର ଦେଇଥିଲେ । ଶେଷରେ ନିର୍ବାଚନ ବାତିଲ କରିଛନ୍ତି ମଧ୍ୟପ୍ରଦେଶ ନିର୍ବାଚନ କମିଶନ ।

ଓଡିଶାରେ ସମାନ ବିବାଦ ଉପୁଜିବା ପରେ ଶାସକ ଦଳ ବିଜେଡି ୨୭ ପ୍ରତିଶତ ବଦଳରେ ଦଳୀୟ ଭିତିରେ ଓବିସି ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । କିନ୍ତୁ ମୌଖିକ ଭାବେ ନୁହେଁ ଓବିସି ବର୍ଗଙ୍କୁ ସାମ୍ବିଧାନିକଭାବେ ସଂରକ୍ଷଣ ଦେବାକୁ ଦାବି କରୁଛନ୍ତି ବିରୋଧୀ ।

ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିବାଦ ଥିଲେ ବି ଗାଁଠୁ ସହର ସବୁଠି ନିର୍ବାଚନ ପ୍ରଚାର ଏକପ୍ରକାର ଆରମ୍ଭ କରି ଦେଲେଣି ଆଶାୟୀ ପ୍ରାର୍ଥୀ । ନିଜ ନିଜ ଅଂଚଳର ଲୋକଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇ ପୋଷ୍ଟର ମାରିଛନ୍ତି । ଆଶାୟୀ ପ୍ରାର୍ଥୀମାନେ ପଂଚାୟତବାସୀଙ୍କ ମନ ଜିଣିବାକୁ ବ୍ୟାନର ଓ ହୋର୍ଡିଂ ମାରି ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି ।

ବାଙ୍କି ଅଂଚଳରୁ ମଧ୍ୟ ଆସିଛି ସମାନ ଚିତ୍ର । ବ୍ୟାନର ଓ ପୋଷ୍ଟର ମାରି ନୂଆ ବର୍ଷର ଶୁଭେଛା ଜଣାଇଛନ୍ତି ଆଶାୟୀ ପ୍ରାର୍ଥୀ । କିଛି ପ୍ରାର୍ଥୀ ସେମାନଙ୍କ ବ୍ୟାନରରେ ସେ ସମର୍ଥନ କରୁଥିବା ରାଜନୈତିକ ଦଳ ଓ ନେତାଙ୍କ ଫଟୋ ମଧ୍ୟ ରଖିଛନ୍ତି । ପଂଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବ ବୋଲି କୁହାଯାଉଛି । ଏହାକୁ ଆଖି ଆଗରେ ରଖି କଟକରେ ମଧ୍ୟ ନୂଆ ବର୍ଷ ଶୁଭେଛା ପାଇଁ ସହର ସାରା ଛାଇ ଯାଇଛି ବ୍ୟାନର ଓ ପୋଷ୍ଟର ।

କଟକ ମାହାଙ୍ଗା ଓ ସାଲେପୁର ଅଂଚଳରେ ମଧ୍ୟ ନୂଆ ବର୍ଷ ଅଭିନନ୍ଦନ ପାଇଁ ସବୁଠି ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି । କେବଳ ଏହି ଅଂଚଳ ନୁହେଁ ସାରା ରାଜ୍ୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।