ଓଲିଉଡ ଅଭିନେତାଙ୍କ କଳି । ‘ରାମ୍’ ବନାମ ‘ମାଇଣ୍ଡ ଗେମ୍’

549

କନକ ବ୍ୟୁରୋ : ଓଡିଆ ସିମେନା ଜଗତର ଚର୍ଚ୍ଚିତ ଚେହେରା ମନୋଜ ମିଶ୍ର ବାସନ୍ଦ । ତାଙ୍କୁ ୨ ବର୍ଷ ପାଇଁ ଓଲିଉରୁ ବାସନ୍ଦ କରିଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ- ୟୁସିସିସି । ଏପରିକି ବାସନ୍ଦ ନିର୍ଦ୍ଦେଶକୁ ଅବମାନନା କରି ମନୋଜଙ୍କ ସହ ଫିଲ୍ମ ନିର୍ମାଣ କଲେ, ରାଜ୍ୟର କୌଣସି ହଲରେ ଫିଲ୍ମକୁ ରିଲିଜ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ୟୁସିସିସି । ଏନେଇ ଫିଲ୍ମ ପ୍ରଯୋଜକ ସଂଘ ପକ୍ଷରୁ, ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଥିବା କହିଛନ୍ତି ୟୁସିସିସିର ସଭାପତି ସଂଜୟ ନାୟକ ।

ଏଥର ଦଶହରାରେ ଏକାଧିକ ଓଡିଆ ଫିଲ୍ମ ରିଲିଜ ହୋଇଛି । ଦୂର୍ଗା ପୂଜାରେ ଅଭିନେତା ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତିଙ୍କ ଫିଲ୍ମ ରାମ ପରଦା ଉପରକୁ ଆସିଛି । ସେହିପରି ଦଶହରା ରିଲିଜରେ ପ୍ରେକ୍ଷାଳୟକୁ ଆସିଛି ବାବୁସାନ୍ ଓ ଅମ୍ଳାନ ଅଭିନୀତ ମାଲ୍ୟଗିରି । ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ କଟକ, ଶେଷରୁ ଆରମ୍ଭ ମଧ୍ୟ ଦର୍ଶକୀୟ ଆଦ୍ରୁତି ପାଉଛି । ପୂର୍ବରୁ ରିଲିଜ ହୋଇଥିବା ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ୍ ଏବଂ ଅଭିନେତା ସବ୍ୟସାଚୀଙ୍କ ପୁଷ୍କରା ଦେଖିବା ପାଇଁ ମଧ୍ୟ ହଲରେ ଦର୍ଶକଙ୍କ ଗହଳି ଲାଗୁଛି । କୋଭିଡ ସମୟରେ ଦୁର୍ବଳ ହୋଇପଡିଥିବା ଓଡିଆ ଫିଲ୍ମ ଜଗତ ଦୀର୍ଘଦିନ ପରେ ମୁଣ୍ଡ ଟେକୁଥିଲା । ଏକାବେଳକେ ଏକାଧିକ ତାରକାଙ୍କ ଫିଲ୍ମ ପରଦା ଉପରକୁ ଆସିଥିଲା । ତେଣୁ ଏଥର ଦଶହରାରେ ଓଡିଆ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିତରେ ଉତ୍ସାହ ବି ଥିଲା । ରାମ/ମାଇଣ୍ଡ ଗେମ୍… ହେଲେ ସମ୍ବଲପୁରରେ ରାମ ଫିଲ୍ମକୁ ରିଲିଜ କରାଇ ଦେଉନଥିବା ଅଭିଯୋଗ କରି ୟୁସିସିସର ଦ୍ୱାରସ୍ଥ ହୋଇଥିଲେ ଅରିନ୍ଦମ । କୁହାଯାଉଛି ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ମନୋଜ ମିଶ୍ର । ସେ ଏକା ଚାହିଁଲେ ଗୋଟିଏ ଫିଲ୍ମକୁ ଅଟକାଇ ପାରିବେ ନାହିଁ ବୋଲି ସଫେଇ ରଖିବା ସହ, ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

ପାଟଣାଗଡର ପାର୍ସଲ ବୋମା ଭଳି ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ମାଇଣ୍ଡ ଗେମକୁ ପଶ୍ଚିମ ଓଡିଶାରେ ଜୋରଦାର ପ୍ରଚାର ପ୍ରସାର ଚଳାଇଛନ୍ତି ନିଜେ ଅଭିନେତା ମୋନଜ ମିଶ୍ର । ଭିଭିନ୍ନ ହଲକୁ ବୁଲି ଫ୍ୟାନଙ୍କ ସହ ଫିଲ୍ମ ବିଷୟରେ ଚର୍ଚ୍ଚା କରୁଛନ୍ତି । ଆଉ ଏତିକି ବେଳେ ବିଗ୍ ବଜେଟ୍ ଫିଲ୍ମ ରାମର ସମ୍ବଲପୁରରେ ବାଟ ଓଗାଳୁଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ତେଣୁ ଓଡିଆ ଫିଲ୍ମର ଭବିଷ୍ୟତକୁ ନେଇ ସନ୍ଦେହ ଉପୁଜିଛି । ଗୋଟିଏ ସମୟରେ ଯେତେବେଳେ ହିନ୍ଦି ଫିଲ୍ମ ପାଇଁ ଓଡିଆ ଫିଲ୍ମକୁ ହଲ ମିଳୁନଥିବା ଅଭିଯୋଗ ଉଠିଥିଲା, ଠିକ୍ ସେତିକିବେଳେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଭିତରେ ଏହି କଳି ଓଲିଉଡକୁ ବଡ ବିପଦ ଭିତରକୁ ଠେଲି ଦେବାର ଆଶଙ୍କା ଉପୁଜିଛି ।