ବାଂଲାଦେଶ ମୁହାଁ ବାତ୍ୟା ହାମୁନ । ଅତି ଭୀଷଣ ବାତ୍ୟାର ରୂପ ନେଇ ସୁମୁଦ୍ର ଭିତରେ କରୁଛି ଗତି

202

କନକ ବ୍ୟୁରୋ : ବଂଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ହାମୁନ ଏବେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇ ଗତି କରୁଛି ।  ଆଉ ଏ ହେଉଛି ବାତ୍ୟା ହାମୁନର ଗତିପଥ । ସାମୁଦ୍ରିକ ଝଡ ହାମୁନ୍ର ଗତିପଥ ନେଇ ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ନଜର ପକାନ୍ତୁ ଆଇଏମଡିର ଆକଳନ ଉପରେ । ସମୁଦ୍ର ଭିତରେ ଅତିଭୀଷଣ ବାତ୍ୟାର ରୂପ ନେଇଥିବା ହାମୁନ ଧିରେ ଧିରେ ଆଗକୁ ବଢ଼ୁଛି । ଆଉ ଓଡିଶା ଉପକୂଳଠାରୁ ବହୁ ଦୂରରେ ବାଂଗଲାଦେଶ ଉପକୂଳ ଆଡକୁ ଗତି କରୁଛି । କାଲି ସନ୍ଧ୍ୟାରେ ବାଂଗଲାଦେଶ ଉପକୂଳ ଖେପୁପରା ଓ ଚିଟାଗଂଗ ମଧ୍ୟବର୍ତ୍ତୀ ଅଂଚଳରେ ସ୍ଥଳଭାଗ ଛୁଇଁବ ।

ଉପକୂଳ ଠାରୁ ବହୁ ଦୂରରେ ସମୁଦ୍ର ଭିତରେ ଗତି କରୁଥିବାରୁ ଓଡିଶା ଉପରେ ସିଧାସଳଖ ପ୍ରଭାବ ପଡିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ବାତ୍ୟାର ପ୍ରଭାବରେ ଉପକୂଳ ଓ ଉତର ଓଡିଶାର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଇଏମଡି ସତର୍କ କରିଛି । ପାଗ ମେଘୁଆ ରହିବ । ଅର୍ଥାତ ବାତ୍ୟା ପ୍ରଭାବକୁ ନେଇ ଯେଉଁ ଆଶଙ୍କା ଥିଲା ତାହା ଏକ ପ୍ରକାର ଟଳି ଯାଇଛି । ହେଲେ, ଏବେ ସମୁଦ୍ର ଅଶାନ୍ତ ଥିିବାରୁ ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ।

କେବଳ ଓଡିଶା ନୁହେଁ ଏହି ବାତ୍ୟା ଯେଉଁଠି ସ୍ଥଳଭାଗ ଛୁଇଁବ ସେଠି ବି ବିଶେଷ କିଛି କ୍ଷତି ହେବ ନାହିଁ । ବାତ୍ୟାଟି ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇଯାଇଥିବ । କିନ୍ତୁ ପ୍ରଭାବରେ ବାଂଗଲାଦେଶ ସମେତ, ମିଜୋରାମ, ଆସାମର କିଛି ଅଂଚଳ, ତ୍ରିପୁରା ଓ ମଣିପୁରରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।