ରାଜ ପରିବାରର ନିଆରା ଦୁର୍ଗାପୂଜା । ବିଜୟାଦଶମୀରେ ଅସ୍ତ୍ରଶସ୍ତ୍ର ପୂଜା

165

କନକ ବ୍ୟୁରୋ : ଦଶହରାରେ ରାଜବାଟୀ ଦୁର୍ଗାପୂଜାର ସ୍ୱତନ୍ତ୍ରତା ଟିକେ ନିଆରା । ଆଧୁନିକତାକୁ ପଛରେ ପକାଇ ଆଳି ରାଜବାଟିରେ ପ୍ରାଚୀନ ପଦ୍ଧତିରେ କରାଯାଇଛି ମା’ଙ୍କ ପୂଜା । ୪୨୯ ବର୍ଷ ଧରି ଉତ୍କଳୀୟ ଓ ବଙ୍ଗୀୟ ପଦ୍ଧତିରେ ଚାଲିଆସିଛି ମା’ଙ୍କ ପୂଜା । ବର୍ଷକ ବାରମାସ କନକଦୁର୍ଗାଙ୍କ ପୂଜା ହେଉଥିବା ବେଳେ ଦୁର୍ଗାଙ୍କ ପୀଠରେ ଦୁର୍ଗା ମା’ଙ୍କ ମୃଣ୍ମୟୀ ମୂର୍ତି ଗଢ଼ା ଯାଇ ପୂଜା କରାଯାଇଛି । ପୂଜାରେ ରାଜ ପରିବାର ଏକତ୍ରିତ ହୋଇ ମା’ଙ୍କ ଆରାଧନା କରି ପୂଜା କରିଛନ୍ତି । ଏଥି ସହିତ ରାଜ ଅଭିଷେକ, ଅସ୍ତ୍ର ପୂଜା, ଲାଖ ବିନ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଛି । ରାଜ ପରିଷଦ ବର୍ଗଙ୍କ ସହିତ ଚାମର, ବଇଁଶୀ, ବାଦ୍ୟ, ବନ୍ଧୁକ ଆଦି ପୂଜା କରାଯାଇଛି । ଖୋଦ୍ ରାଜା ନିଜେ ପରିଷଦବର୍ଗଙ୍କ ସହିତ ପଟୁଆର ନେଇ ପୂଜା ମଣ୍ଡପକୁ ଯାଇ କନକଆଞ୍ଜୁଳି ଦେଇ ମା’ଙ୍କୁ ବିଦାୟ ଦେଇଛନ୍ତି ।

ସେହିପରି ଚିଲିକା ପାରିକୁଦ ରାଜା ରାଜନଅରର ମାଆଙ୍କ ନିକଟରେ ସମସ୍ତ ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି ରାଜା ସାହେବ ସନ୍ତୋଷଚନ୍ଦ୍ର ଦେଓ । ରାଜନଅରରେ ଥିବା ଦୁର୍ଗାଙ୍କ ମନ୍ଦିରରେ ଢାଲ, ଖଣ୍ଡାରୁ ନେଇ ବିଭିନ୍ନ ଅସ୍ତ୍ର ସବୁ ପୂଜା କରିଛନ୍ତି ରାଜା । ରାଜନଅର ଚାରିପାଖେ ବୁଲି ବୁଲି ପୂଜା କରିଥିବା ବେଳେ ଶେଷରେ ପରମ୍ପରା ଅନୁସାରେ ରାଜାଙ୍କୁ ପୂଜା କରାଯାଇଥିଲା । ଯୋଡି ମହୁରୀରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ । ସେପଟେ ପାରଳାଖେମୁଣ୍ଡିରେ ଗଜପତି ରାଜବଂଶ ଦ୍ୱାରା ପାଇକ ଆଖଡାରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଛି । ଅଷ୍ଟମୀ ଠାରୁ ତିନିଦିନ ଧରି ଏହି ପୂଜା ହୋଇଥାଏ । ପିଲାଠାରୁ ବୁଢ଼ା ଯାଏଁ ସମେସ୍ତ ଏହି ଆଖଡ଼ାରେ କୌଶଳ ପ୍ରଦର୍ଶନ କରିଥାନ୍ତି । ଆଉ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ମଧ୍ୟ ଜମିଥିଲା ।

ଆଜିର ଦିନରେ ରାଜତନ୍ତ୍ର ନାହିଁ । କିନ୍ତୁ ପିଢ଼ି ପରେ ପିଢ଼ି ରାଜକୀୟ ପରମ୍ପରା ବଂଚି ରହିଛି ।